ଝାରସୁଗୁଡା,ଏନ୍ଏନ୍ଏସ୍: ସମରବଗା ପଞ୍ଚାୟତର ଯୋଗାଣ ଅଧିକାରୀ ରେବତୀ ସାହୁଙ୍କୁ ଧମକ ଚମକ ଦେବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିବା ଅଭିଯୋଗରେ ରେଙ୍ଗାଲି ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ଗୁଗୁଲି ନିଉଜ ନାମକ ଏକ ୱେବ ପୋର୍ଟାଲର ରିପୋର୍ଟର ଭାବରେ ଅଞ୍ଚଳରେ ପରିଚିତ ଥିବା ରଞ୍ଜିତ ପ୍ରଧାନ(ବୁଲୁ) ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, ଯୋଗାଣ ଅଧିକାରୀ ରେବତୀ ସାହୁଙ୍କୁ ବୁଲୁ କିଛି ଚାଉଳ ବସ୍ତା ମାଗିଥିଲେ। ଏଥିରେ ରେବତୀ ଅମଙ୍ଗ ହେବାରୁ ରଞ୍ଜିତ ତାଙ୍କୁ ଗାଳିଗୁଳଜ କରିବାସହ ତାଙ୍କୁ ବଦନାମ କରିବେ ବୋଲି ଧମକ ଚମକ ଦେଇଥିବା ରେବତୀ ରେଙ୍ଗାଲି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରି ବୁଲୁକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।
ପ୍ରକାଶ ଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଯୋଗାଣ ଅଧିକାରୀ ରେବତୀ ସାହୁ ତାଙ୍କ ପଞ୍ଚାୟତ ଅନ୍ତର୍ଗତ ଜଣେ ରାସନ କାର୍ଡ ହିତାଧୀକାରୀଙ୍କୁ ୨ କେଜି କମ ଚଣା ପ୍ରଦାନ କରିଥିବା ନେଇ ଗିରଫ ଅଭିଯୁକ୍ତ ଜଣକ ସେ କାମ କରୁଥିବା ୱେବ ପୋର୍ଟାଲରେ ଖବର ପ୍ରକାଶ କରିଥିଲେ। ଏହାପରେ ହିତାଧୀକାରୀ ଜଣକ ମଧ୍ୟ ତାଙ୍କୁ କମ ଚଣା ପ୍ରଦାନ କରାଯାଇଥିବା ନେଇ ସ୍ଥାନୀୟ ସରପଞ୍ଚ ଓ ଲଖନପୁର ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ଏନେଇ ଯୋଗାଣ ଅଧିକାରୀ ରେବତୀ ସାହୁଙ୍କୁ ସେ ସମୟରେ ପଚରାଯିବାରୁ ସେ ଉପଯୁକ୍ତ ପରିମାଣ ଚଣା ଦେଇଛନ୍ତି। ତାଙ୍କ ନାମରେ ମିଥ୍ୟା ଅଭିଯୋଗ କରାଯାଇଛି। ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟତା ଜଣା ପଡିବ ବୋଲି କହିଛନ୍ତି।