ବାୟୁ ପ୍ରଦୂଷଣ ଯୋଗୁଁ ବଢୁଛି କୋଭିଡ୍ ସଂକ୍ରମଣ: କେଜରିୱାଲ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ କୋଭିଡ୍ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ କହିଛନ୍ତି। ଏଥିସହ ବାଣ ନଫୁଟାଇବାକୁ ମଧ୍ୟ ଦିଲ୍ଲୀବାସୀଙ୍କୁ କେଜରିୱାଲ୍ ଅପିଲ୍ କରିଛନ୍ତି। ଭିଡ଼ିଓ କନଫରେନ୍ସିଂ ଜରିଆରେ ଗୁରୁବାର ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ନଭେମ୍ବର ୧୪ରେ ସନ୍ଧ୍ୟା ୭ଟା ୩୯ ସମୟରେ ଦୀପାବଳି ଅବସରରେ ସେ ନିଜ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ସହ ଲକ୍ଷ୍ମୀପୂଜା କରିବେ। ସିଧାପ୍ରସାରଣ ଜରିଆରେ ଦିଲ୍ଲୀବାସୀ ଏହି ପୂଜାରେ ସାମିଲ୍ ହୁଅନ୍ତୁ ବୋଲି କେଜରିୱାଲ୍ ଅନୁରୋଧ କରିଛନ୍ତି। ବର୍ତ୍ତମାନ ଦିଲ୍ଲୀର କୋଭିଡ୍ ସଂକ୍ରମଣ ବୃଦ୍ଧି ଏବଂ ବାୟୁ ପ୍ରଦୂଷଣ ସମସ୍ୟାର ସାମ୍ନା କରୁଛି। ବାୟୁ ପ୍ରଦୂଷଣ ସହ କୋଭିଡ୍ ସଂକ୍ରମଣ ବୃଦ୍ଧି ହେଉଥିବାରୁ ଦୀପାବଳିରେ ବାଣ ନଫୁଟାଇବାକୁ ଏବଂ ଗୋଟିଏ ଦିନରେ ଦୀପାବଳୀ ସହ ଲକ୍ଷ୍ମୀପୂଜା ପାଳିବାକୁ ସେ ଦିଲ୍ଲୀବାସୀଙ୍କ ନିକଟରେ ଅପିଲ୍ କରିଛନ୍ତି।