ଆଜିଠାରୁ ମହିଳା ଟି-୨୦ ଚ୍ୟାଲେଞ୍ଜ୍ ଲିଗ୍‌

ଶାରଜାହ,ଏଜେନ୍ସି: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ସିଜନ୍‌-୧୩ ମଧ୍ୟରେ ଆଜିଠାରୁ ମହିଳା ଟି-୨୦ ଚ୍ୟାଲେଞ୍ଜ୍ ଲିଗ୍ (ମହିଳା ଆଇପିଏଲ୍‌) ଆରମ୍ଭ ହେବାକୁ ଯାଉଛି । ଏହା ସହିତ ଭାରତୀୟ ମହିଳା ଟିମ୍ ୮ ମାସ ପରେ ପଡ଼ିଆକୁ ଓହ୍ଲାଇବ । ଟିମ୍ ଇଣ୍ଡିଆ ଚଳିତବର୍ଷ ମାର୍ଚ୍ଚ ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲା । ମେଲ୍‌ବୋର୍ଣ୍ଣରେ ଖେଳାଯାଇଥିବା ମ୍ୟାଚ୍‌ରେ ଟିମ୍ ୮୫ ରନ୍‌ରେ ପରାଜିତ ହୋଇଥିଲା । ମହିଳା ଆଇପିଏଲ୍‌ର ଏହା ୩ୟ ସିଜନ୍ ହୋଇଥିବା ବେଳେ ଲିଗ୍‌ରେ ବର୍ତ୍ତମାନ ସୁଦ୍ଧା ହରମନ୍‌ପ୍ରୀତଙ୍କ ନେତୃତ୍ୱାଧୀନ ସୁପରନୋଭାଜ୍ ସବୁଠୁ ସଫଳ ଟିମ୍ ଭାବେ ରହିଆସିଛି । ଗତ ଦୁଇଟି ଟାଇଟଲ୍ ଏହି ଟିମ୍ ଜିତିଛି ।

ଏହି ଟୁର୍ଣ୍ଣାମେଣ୍ଟ୍ ୨୦୧୮ରେ ଆରମ୍ଭ ହୋଇଥିଲା । ସେତେବେଳେ ଲିଗ୍‌ରେ ମାତ୍ର ଗୋଟିଏ ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ ସୁପରନୋଭାଜ୍ ଟ୍ରେଲ୍‌ବ୍ଲେଜର୍ସକୁ ହରାଇଥିଲା । ୨୦୧୯ରେ ଭୋଲୋସିଟିର ଲିଗ୍‌ରେ ଏଣ୍ଟ୍ରି ହେବାପରେ ଗତ ସିଜନ୍‌ରେ ୩ଟି ଟିମ୍ ମଧ୍ୟରେ ୪ଟି ମ୍ୟାଚ୍ ଖେଳାଯାଇଥିଲା । ଫାଇନାଲ୍‌ରେ ସୁପରନୋଭାଜ୍ ୪ ୱିକେଟ୍‌ରେ ଭୋଲୋସିଟିକୁ ହରାଇ ଦ୍ୱିତୀୟ ଥର ପାଇଁ ଟାଇଟଲ୍ ଜିତିଥିଲା ।

କରୋନା ସଂକ୍ରମଣ କାରଣରୁ ଟୁର୍ଣ୍ଣାମେଣ୍ଟ୍‌ର ୩ୟ ସିଜନ୍ ୟୁଏଇରେ ବାୟୋ-ସିକ୍ୟୋର ପରିବେଶରେ ଖେଳାଯାଉଛି । ଟୁର୍ଣ୍ଣାମେଣ୍ଟରେ ମୋଟ ୪ଟି ମ୍ୟାଚ୍ ଖେଳାଯିବ ଏବଂ ସମସ୍ତ ମ୍ୟାଚ୍ ଶାରଜାରେ ଅନୁଷ୍ଠିତ ହେବ । ଫାଇନାଲ୍ ମ୍ୟାଚ୍ ନଭେମ୍ବର ୯ ତାରିଖରେ ଖେଳାଯିବ ।

ସମସ୍ତ ଟିମ୍‌ର ନେତୃତ୍ୱ ଭାରତୀୟ ଖେଳାଳିଙ୍କ ହାତରେ ରହିଛି । ମିତାଲି ରାଜ ଭେଲୋସିଟିର କ୍ୟାପ୍‌ଟେନ୍ ଥିବାବେଳେ ହରମନ୍‌ପ୍ରୀତ୍ ଓ ସ୍ମୃତି ମନ୍ଧାନାଙ୍କୁ ଯଥାକ୍ରମେ ସୁପରନୋଭାଜ୍ ଓ ଟ୍ରେଲ୍‌ବ୍ଲେଜର୍ସର ନେତୃତ୍ୱ ପ୍ରଦାନ କରାଯାଇଛି । ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ମ୍ୟାଚ୍ ଚାମ୍ପିଅନ୍ ସୁପରନୋଭାଜ୍ ଓ ରନର୍ସଅପ୍ ଟ୍ରେଲ୍‌ବ୍ଲେଜର୍ସ ମଧ୍ୟରେ ଆଜି ଖେଳାଯିବ ।