ରାୟଗଡା,ଏନ୍ଏନ୍ଏସ୍: ନିଆଁରେ ପୋଡି ହୋଇ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ କବିତା ସେନାପତି। ରାୟଗଡ଼ା ସହର ରାଣୀଗୁଡା ଫାର୍ମ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ରାୟଗଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମହିଳା ଜଣଙ୍କ ନିଜ ଦେହରେ କିରୋସିନି ଢ଼ାଳି ହୋଇ ନିଆଁ ଲଗାଇ ଦେଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି।
ଗତ କିଛିଦିନ ହେଲା ସ୍ୱାମୀ ପ୍ରଦୀପ କୁମାର ସେନାପତିଙ୍କ ସହ କବିତା ଏକ ଭଡା ଘରେ ରହି ଆସୁଥିଲେ। ପାଖରେ ଦୁଇ ପୁଅ ମଧ୍ୟ ରହୁଥିଲେ। ଗତ କିଛି ବର୍ଷ ହେଲା କବିତା ମାନସିକ ରୋଗରେ ପୀଡ଼ିତ ଥିଲେ। ଆଜି ଅପରାହ୍ଣରେ କବିତା ଘରେ ଏକା ଥିବାବେଳେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ଶରୀରର ଶତ ପ୍ରତିଶତ ଭାଗ ପୋଡି ଯାଇଥିଲା। କିଛି ସମୟ ପରେ ପ୍ରଦୀପ ଅଟୋରେ ଘରର ଆସବାବପତ୍ର ନେଇ ଘରକୁ ଫେରିବା ପରେ ଘର ଭିତରୁ ଧୂଆଁ ବାହାରୁ ଥିବା ଦେଖି ପଡୋଶୀଙ୍କୁ ଡାକ ପକାଇଥିଲେ।
ଗାଧୁଆ ଘରେ କବିତାଙ୍କ ଜଳନ୍ତା ମୃତ ଦେହ ପଡ଼ିଥିବା ଦେଖି ପ୍ରଦୀପ ପୁଲିସକୁ ଖବର ଦେଇଥିଲେ। ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ପୁଲିସ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ହସପିଟାଲକୁ ପଠେଇଛି। ଏଥିସହିତ ପୁଲିସ ଘଟଣାର ତଦନ୍ତ କରୁଛି।