ପତ୍ନୀଙ୍କ ଶେଷକୃତ୍ୟ ପାଇଁ ଚୌଦ୍ୱାର ଜେଲରୁ ଝାରସୁଗୁଡ଼ା ଆସିଲେ ସୋନୁ ଘୋଷ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବିଭିନ୍ନ ଅପରାଧିକ ମାମଲାରେ ଗିରଫ ହୋଇ ଚୌଦ୍ବାର ଜେଲରେ ଥିବା ବ୍ରଜରାଜନଗରର କୁଖ୍ୟାତ ଅପରାଧୀ ସୋନୁ ଘୋଷ ଆଜି ଝାରସୁଗୁଡ଼ା ଅଣାଯାଇଛି। ପତ୍ନୀ ପ୍ରିୟା ଘୋଷଙ୍କ ଶେଷକୃତ୍ୟ ସମ୍ପନ୍ନ ପାଇଁ ଝାରସୁଗୁଡ଼ା ଏସଡିଜେଏମ୍ କୋର୍ଟର ସ୍ୱତନ୍ତ୍ର ଅନୁମତିରେ ସୋନୁକୁ ଝାରସୁଗୁଡ଼ା ଅଣାଯାଇଥିଲା। ଆଜି ଅପରାହ୍ଣ ପ୍ରାୟ ୪ଟା ୩୦ରେ ପତ୍ନୀଙ୍କ ଶେଷକୃତ୍ୟ ସମ୍ପନ୍ନ ପରେ ପୁଣି ସୋନୁକୁ ପୁଲିସ ସୁରକ୍ଷା ବଳୟ ଭିତରେ ଚୌଦ୍ୱାର ଜେଲକୁ ପଠାଇଥିବା ବ୍ରଜରାଜନଗର ଏସଡିପିଓ ଦିଲ୍ଲୀପ ଦାସ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ପ୍ରାୟ ୧ ବର୍ଷ ପୂର୍ବରୁ ଅମିତ ଧଲ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଥିବା ସୋନୁ ଘୋଷକୁ ଝାରସୁଗୁଡା ଜିଲ୍ଲା ଦୌରା ଜଜ ଜେଲ ଦଣ୍ଡାଦେଶ ଦେଇଥିଲେ। ଗତ ୨୦ ତାରିଖରେ ବ୍ରଜରାଜନଗର ଷ୍ଟେସନପଡାରେ ଥିବା ସୋନୁଙ୍କ ଘରେ ନିଆଁ ଲାଗି ପତ୍ନୀ ପ୍ରିୟା ଘୋଷ ଏବଂ ଆଉ ଜଣେ ମହିଳା ମମତା ପାତ୍ର ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ମଣ୍ଡଲିଆ ଓ ରାଉରକେଲା ସ୍ଥିତ ଆଇଜିଏଚ ହସ୍ପିଟାଲରେ ଚିକିତ୍ସା କରାଯିବା ପରେ ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋନୁଙ୍କ ପତ୍ନୀ ପ୍ରିୟା ଘୋଷଙ୍କର ମୃତ୍ୟୁ ହୋଇଥିବାବେଳେ ମମତାଙ୍କ ଚିକିତ୍ସା ଜାରି ରହିଛି।