ଘୁଞ୍ଚିଲା ଏନଟିଏସ ଓ ଏନଏମଏମଏସ ଆବେଦନର ଶେଷ ତାରିଖ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୨୦-୨୧ ବର୍ଷର ଏନଟିଏସ ଓ ଏନଏମଏମଏସ ପରୀକ୍ଷା ପାଇଁ ଆବେଦନର ଶେଷ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ଆଜି ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆବେଦନର ଶେଷ ତାରିଖ ୨୮ ଅକ୍ଟୋବରକୁ ଧାର୍ଯ୍ୟ କରାଯାଇଥିବାବେଳେ କୋଭିଡ-୧୯ ଯୋଗୁଁ ରାଜ୍ୟର ଅନେକ ଇଚ୍ଛୁକ ଛାତ୍ରଛାତ୍ରୀ ଏଥିରେ ଆବେଦନ କରିପାରି ନାହାନ୍ତି। ସେମାନଙ୍କୁ ଲକ୍ଷ କରି ଉପରୋକ୍ତ ପରୀକ୍ଷା ପାଇଁ ଆବେଦନର ତାରିଖକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ସେହିପରି ଇନଷ୍ଟିଚ୍ୟୁଟ ଲେବଲରେ ଯାଞ୍ଚ ତାରିଖକୁ ନଭେମ୍ବର ୫ ପର୍ଯ୍ୟନ୍ତ ଓ ଜିଲ୍ଲା ସ୍ତରରେ ଯାଞ୍ଚ ତାରିଖକୁ ନଭେମ୍ବର ୭ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି। ତେବେ ଏହି ପରୀକ୍ଷା ସମ୍ପୂର୍ଣ୍ଣ ଦେୟ ମୁକ୍ତ।

ଏନଟିଏସ୍- ନେସନାଲ ଟ୍ୟାଲେଣ୍ଟ ସର୍ଚ୍ଚ
ଏହା ଦ୍ୱାରା ଛାତ୍ରଛାତ୍ରୀମାନେ କେଉଁ କ୍ଷେତ୍ରରେ ପାରଙ୍ଗମ ହୋଇପାରିବେ ସେନେଇ ସେମାନଙ୍କୁ ପ୍ରେରଣା ଦିଆଯିବ ଓ ପାରଙ୍ଗମ କରାଯିବ। ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତୀ ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ। ଏଥିରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ସୈନିକ ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ଆବେଦନ କରିପାରିବେ। ସେହିପରି ଏହି ପରୀକ୍ଷାରେ ଆବେଦନ ପାଇଁ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ୬୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଦରକାର। ଏହି ପରୀକ୍ଷାକୁ ଜାତୀୟ ସଂସ୍ଥା ଏନସିଇଆରଟି ପକ୍ଷରୁ ଆୟୋଜିତ କରାଯିବ।

ଏନଏମଏମଏସ- ନେସନାଲ ମିନ୍ସ-କମ୍ ମେରିଟ ସ୍କଲାରସିପ୍
ଏହି ଯୋଜନାଟିକୁ ମାନବ ସମ୍ବଲ ବିକାଶ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି। ଏଥିରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ସେମାନଙ୍କ ପଢ଼ିବା ପାଇଁ ଆର୍ଥିକ ସୁବିଧା ଯୋଗାଇ ଦିଆଯିବ। ଏହି ପରୀକ୍ଷାଟି ଗୋଟିଏ ପର୍ଯ୍ୟାୟରେ ହେବ ଏବଂ ଏହା ଜିଲ୍ଲା କୋଟା ଅନୁସାରେ ଚୟନ କରାଯିବ। ଏଥିରେ ଉଭୟ ସରକାରୀ ଓ ବେସରକାରୀ ସ୍କୁଲର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଏନେଇ ସେମାନଙ୍କୁ ସପ୍ତମ ଶ୍ରେଣୀରେ ୫୫ ପ୍ରତିଶତ ମାର୍କ ରଖିଥିବା ଦରକାର। ସେହିପରି ବର୍ଗ ଆଧାରରେ ୫ ପ୍ରତିଶତ ଆରାମ ଦିଆଯିବ। ସେହିପରି ଏଥିରେ ଆବେଦନ କରୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ବାର୍ଷିକ ଆୟ ଦେଢ଼ ଲକ୍ଷରୁ ଅଧିକ ହୋଇନଥିବା ଦରକାର। ଏଥିରେ ଚୟନ ହେବା ଛାତ୍ରଛାତ୍ରୀଙ୍କୁ ୪ ବର୍ଷ (ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ) ପର୍ଯ୍ୟନ୍ତ ମାସିକ ହଜାରେ ଟଙ୍କା ପଢ଼ା ଖର୍ଚ୍ଚ ଦିଆଯିବ।