ପୁନଃ ନିଯୁକ୍ତି ଓ ବକେୟା ପ୍ରାପ୍ୟ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଝାରସୁଗୁଡା,ଏନ୍ଏନ୍ଏସ୍: ପୁନଃ ନିଯୁକ୍ତି ଓ ବକେୟା ପ୍ରାପ୍ୟ ପ୍ରଦାନ ଦାବିରେ ଆଜି ବନ୍ଦ ହୋଇଥିବା କନକାଷ୍ଟ ଷ୍ଟିଲ କାରଖାନାର ପୁରୁଣା କର୍ମଚାରୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି କହିଛନ୍ତି ଯେ, ଗତ ୨୦୧୭ ଜାନୁଆରୀ ୧ ତାରିଖରେ କନକାଷ୍ଟ ଷ୍ଟିଲ ପାୱାର ଲିମିଟେଡ୍ କର୍ମଚାରୀମାନଙ୍କୁ ଦରମା ନଦେଇ ହଠାତ ବନ୍ଦ ହୋଇଯାଇଥିଲା। ଫଳରେ ଶହଶହ ସ୍ଥାନୀୟ ଲୋକେ ବେରୋଜଗାର ହୋଇଥିଲେ।

ପରେ କର୍ମଚାରୀମାନେ ଜିଲ୍ଲାପାଳ ଓ ଶ୍ରମ ଅଧିକାରୀଙ୍କୁ ନିଜର ବକେୟା ପ୍ରାପ୍ୟ ଓ ଇପିଏଫ ଟଙ୍କା ପ୍ରଦାନ କରିବାରେ ସହଯୋଗ କରିବା ପାଇଁ ବାରମ୍ବାର ନିବେଦନ କରିଥିଲେ। କିନ୍ତୁ କମ୍ପାନୀ କର୍ମଚାରୀମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରାଯାଇନଥିଲା। ପ୍ରାୟ ୩ ବର୍ଷ ପରେ କନକାଷ୍ଟ ଷ୍ଟିଲକୁ ଅନ୍ୟ ଏକ କମ୍ପାନୀ ପୁନଃ କାର୍ଯ୍ୟକ୍ଷମ କରିଛି। ହେଲେ ନୂତନ ଭାବରେ କାର୍ଯ୍ୟକ୍ଷମ ହେଉଥିବା ଏହି କମ୍ପାନୀରେ ପୁରୁଣା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉ ନାହିଁ। ଫଳରେ କନକାଷ୍ଟ ଷ୍ଟିଲରେ ଜମି ବାଡି ଘରଦ୍ୱାର ହରାଇ ଧୂଳି ଧୂଆଁ ଖାଇଥିବା ଲୋକେ ଏବେ କମ୍ପାନୀର ପ୍ରତାଡନର ଶିକାର ହୋଇଛନ୍ତି।

ବନ୍ଦ ହୋଇଥିବା କନକାଷ୍ଟ ଷ୍ଟିଲରେ କାମ କରୁଥିବା ସମସ୍ତ ପୁରୁଣା କର୍ମଚାରୀଙ୍କ ବକେୟା ପ୍ରାପ୍ୟ, ଇପିଏଫ ଟଙ୍କା ପ୍ରଦାନ କରାଯିବା ସହ ସେମାନଙ୍କୁ ନୂତନ ଭାବରେ ହେଉଥିବା କମ୍ପାନୀରେ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ଦାବି ହୋଇଛି। ଏଥିସହିତ ଏହି ଦାବିଗୁଡିକୁ ୭ ଦିନରେ ପୂରଣ କରାନଗଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।