ଓକିଲଗୁଡ଼ା ପଥର ଖାଦାନ ବିସ୍ଫୋରଣ ଘଟଣା: ମୁଖ୍ୟ ୩ ଅଭିଯୁକ୍ତ ଗିରଫ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ରାୟଗଡ଼ା,ଏନ୍ଏନ୍ଏସ୍: ଦୀର୍ଘଦିନର ଖୋଳତାଡ଼ ପରେ ଶେଷରେ ପଥର ଖାଦାନରେ ବାରୁଦ ବିସ୍ଫୋରଣ ଘଟଣାରେ ପୁଲିସକୁ ସଫଳତା ମିଳିଛି। ଗୁଣପୁର ଓକିଲଗୁଡ଼ା ବେଆଇନ ପଥର ଖାଦାନ ବିସ୍ଫୋରଣ ଘଟଣାରେ ଆଜି ଗୁଣପୁର ପୁଲିସ ପଥର ଖାଦାନ ମାଲିକ ସମେତ ତାଙ୍କ ପରିବାରର ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ପୂର୍ବରୁ ଖାଦାନରେ ବିସ୍ଫୋରଣରେ ନିୟୋଜିତ ପରିଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଗତ ୧୬ ତାରିଖରେ ଗୁଣପୁର ସହର ଉପକଣ୍ଠରେ ଥିବା ଓକିଲଗୁଡ଼ା ପଥର ଖାଦାନରେ ବେଆଇନ ବିସ୍ଫୋରଣ ଘଟି ୩ ଜଣ ଶ୍ରମିକ ମୃତ୍ୟୁବରଣ କରିଥିଲେ। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ଏହି ଖାଦାନରେ ବିସ୍ଫୋରଣ ପାଇଁ ନିୟୋଜିତ ପରିଚାଳକ ହରିଚନ୍ଦ୍ର ଗମାଙ୍ଗଙ୍କୁ ଗିରଫ କରିଥିଲା। ପରେ ଖାଦାନ ମାଲିକ ତଥା ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ଧରିବାରେ ବିଳମ୍ବତା ନେଇ ବିଭିନ୍ନ ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଜିଲ୍ଲା ଏସପି ଶ୍ରର୍ବଣା ବିବେକ ଏମଙ୍କ କଡା ନିର୍ଦ୍ଦେଶ ପରେ ଶେଷରେ ମୁଖ୍ୟ ଅଭିଯୁକ୍ତଙ୍କ ଧରିବାରେ ଗୁଣୁପୁର ପୁଲିସ ସଫଳ ହୋଇଛି। ଆଜି ମୁଖ୍ୟ ଅଭିଯୁକ୍ତ ତଥା ଖାଦାନ ମାଲିକ ପ୍ରଦୀପ ଯୋଗୀ (୩୪) ତାଙ୍କ ବଡ ଭାଇ ପ୍ରତାପ ଯୋଗୀ (୩୮) ଓ ବାପା ଘାଷି ଯୋଗୀ (୬୨)ଙ୍କୁ ପୁଲିସ ଗିରଫ କରିଛି। ଗିରଫ ପରେ ଏମାନଙ୍କ ପାଖରୁ ବହୁ ବିସ୍ଫୋରକ ତଥ୍ୟ ପୁଲିସ ବାହାର କରିଛି।

ଗିରଫ ସମୟରେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଡିଟୋନେଟର, ଜିଲେଟିିନ, ବିସ୍ଫୋରକ ତାର, କମ୍ପ୍ରେସର, ପଥର ଡ୍ରିଲିଙ୍ଗ ମେସିନ, ବିସ୍ଫୋରଣ ସମୟରେ ବ୍ୟବହୃତ ପାଇପ, ୨ଟି ଟିପ୍ପର, ଗୋଟିଏ ହିଟାଚି ମେସିନ, ଗୋଟିଏ କାର, ଖାଦାନ ଲିଜର ବିଭିନ୍ନ ଦସ୍ତାବିଜ ସହିତ ବିଭିନ୍ନ ଆବଶ୍ୟକୀୟ କାଗଜ ପୁଲିସ ଜବତ କରିଛି। ଏହି ପରିପ୍ରେକ୍ଷୀରେ ଦୀର୍ଘ ୧୩ ବର୍ଷ ହେଲା ଏହି ଗୋଟିଏ ପରିବାରର ୩ ଜଣଙ୍କ ନାମରେ ଓକିଲଗୁଡା ପଥର ଖାଦାନ ରହିଥିବାରୁ ବିଭିନ୍ନ ସମୟରେ ଲିଜ ଜାଲିଆତି କରୁଥିବା ତଥ୍ୟ ସାମ୍ନାକୁ ଆସିଛି। ପରେ ସେମାନଙ୍କୁ ଗୁଣୁପୁର ଏସଡିଜେଏମଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା। ସେଠାରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲକୁ ପଠାଇ ଦିଆଯାଇଥିବା ରାୟଗଡ଼ା ଏସପି ଶର୍ବଣ ବିବେକଏମ ସୁଚନା ଦେଇଛନ୍ତି।
ସୂଚନା ଯୋଗ୍ୟକି ଗତ ୧୬ ତାରିଖ ଅପରାହ୍ଣରେ ଗୁଣପୁର ସହରର ଉପକଣ୍ଠ ଓକିଲଗୁଡ଼ା ପଥର ଖାଦାନରେ ବିସ୍ଫୋରଣ ଘଟି ୩ଜଣ ମୃତ୍ୟୁବରଣ କରିଥିବା ବେଳେ ୬ ଜଣ ଆହତ ହୋଇଥିଲେ। ପୁଲିସର ପ୍ରାଥମିକ ତଦନ୍ତରେ ୧୬ ତାରିଖ ଅପରାହ୍ଣ ୩ଟାରେ ଏହି ପଥର ଖାଦାନରେ ପ୍ରାୟ ୧୫ ଜଣରୁ ଊର୍ଦ୍ଧ୍ୱ ଶ୍ରମିକ ପଥର ସଂଗ୍ରହ କରୁଥିଲେ। ଏହି ଅବସ୍ଥାରେ ପୂର୍ବରୁ ଖାଦାନର ବଡ ବଡ ପଥରରେ ରନ୍ଧ୍ରକରି ବାରୁଦ ଭରି ହୋଇଥିବା ଏକ ସ୍ଥାନରେ ହଠାତ ବିସ୍ଫୋରଣ ଘଟିଥିଲା। ଫଳରେ ଏଭଳି ଦୁର୍ଘଟଣା ଘଟିଥିଲା। ତେବେ ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇ ଗୁଣପୁର ତହସିଲଦାର ଲକ୍ଷ୍ଣୀନାରାୟଣ ସାବତ, ଜଣେ ଏଆରଆଇ ଅନୁପ କୁମାର ମାର୍ଥୀଙ୍କୁ ନିଲମ୍ବିତ କରିଥିଲେ। ସେହିଭଳି ଅତିରିକ୍ତ ତହସିଲଦାର କୁଶ ଗରଡିଆ, ରାଜସ୍ୱ ସୁପରଭାଇଜର ସରତ ଚନ୍ଦ୍ର ଆନନ୍ଦ, ସଦର ଆରଆଇ ସନ୍ତୋଷ ପଣ୍ଡା, ଏଆରଆଇ ସନ୍ତୋଷ ଦାଶଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଧା ନୋଟିସର ଉତ୍ତର ପାଇଥିବା ପ୍ରଶାସନ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଉକ୍ତ ଖାଦାନର ପରିବେଶ ମଞ୍ଜୁର ଓ ଜଙ୍ଗଲ ଅନୁମତି ନଥାଇ, ବିସ୍ଫୋରକ ଅନୁମତି ବିନା କେମିତି ଏଭଳି କାମ ହେଉଥିଲା ତାହାର ବିଧିବଦ୍ଧ ତଦନ୍ତ କରିବା ପାଇଁ ସ୍ୱତନ୍ତ୍ର ଏସଟିଏଫ ଗଠନ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।