ମଦ ବିକ୍ରି ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଥାନାରେ ଅଭିଯୋଗ କଲେ ମହିଳା

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଚେମେଣା ଗ୍ରାମରେ ବେଧଡ଼କ ଭାବରେ ଦେଶୀ ମହୁଲି ମଦ କାରବାର ହେଉଥିବା ଅଭିଯୋଗ କରି ଆଜି ସନ୍ଧ୍ୟାରେ ଚେମେଣା ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ମହିଳା ତୁରୁମୁଙ୍ଗା ଥାନାକୁ ଆସି ଏକ ଅଭିଯୋଗପତ୍ର ଥାନା ଅଧିକାରୀଙ୍କୁ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ଉକ୍ତ ଗ୍ରାମର ଦୁଇଜଣ ବ୍ୟକ୍ତି ଗ୍ରାମରେ ବେଆଇନ ଭାବରେ ଦେଶୀ ମହୁଲି ମଦ ବିକ୍ରି କରୁଛନ୍ତି। ଯାହା ଦ୍ୱାରା ଉକ୍ତ ଅଞ୍ଚଳର ଯୁବପୀଢ଼ି ମଦ ପିଇ ପଥଭ୍ରଷ୍ଟ ହେବା ସହିତ ଅଳ୍ପ ବୟସରେ ରୋଗରେ ପଡି ମୃତ୍ୟୁ ବରଣ କରୁଛନ୍ତି।

ଅନେକ ସମୟରେ ମଦ ପିଇ ମାତାଲ ଅବସ୍ଥାରେ ଗାଳିଗୁଲଜ କରିବା ସହିତ ଚେମେଣା ଗ୍ରାମରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଦେଶୀ ମଦ ବିକ୍ରି ଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଅନେକ ଜୀବନ ହାନି ହୋଇଛି। ତେଣୁ ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମହିଳାମାନେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।