ଯୁକ୍ତ ୩ରେ ନାମ ଲେଖା ଲାଗି ଦ୍ଵିତୀୟ ପର୍ଯ୍ୟାୟ କଟ୍‌ ଅଫ ତାଲିକା ପ୍ରକାଶ, ଶୀର୍ଷରେ ବିଜେବି କଲେଜ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଯୁକ୍ତ ୩ ନାମଲେଖା ଲାଗି ଆଜି ଦ୍ଵିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ବାକି ଥିବା ୨୨,୦୧୬ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଏଥିରେ କଳା ବିଭାଗରେ ୧୨,୦୬୯ ଜଣ, ପଦାର୍ଥ ବିଜ୍ଞାନରେ ୪,୧୧୯ ଜଣ, ବାଣିଜ୍ୟରେ ୧୭୮୧ ଜଣ, ସଂସ୍କୃତରେ ୧୮୪ ଜଣ ଓ ଜୀବ ବିଜ୍ଞାନରେ ୩୪୬୫ ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ୧୦,୫୩୨ ଜଣ ଛାତ୍ର ଓ ୧୧ ହଜାର ୪୮୪ ଛାତ୍ରୀ ରହିଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟରେ କଳା ବିଭାଗରେ ସାଧାରଣ ବର୍ଗର କଟ୍‌ ଅଫ୍‌ ମାର୍କ ତାଲିକାରେ ବିଜେବି କଲେଜ ଶୀର୍ଷରେ ରହିଛି। ଏଠାରେ କଟ୍‌ ଅଫ୍‌ ମାର୍କ ୮୯ ପ୍ରତିଶତ ଥିବା ବେଳେ ବଲାଙ୍ଗୀରର ରାଜେନ୍ଦ୍ର କଲେଜର କଟ୍‌ ଅଫ୍‌ ମାର୍କ ୭୮ ପ୍ରତିଶତ, ପୁରୀ ଏସ୍‌ସିଏସ୍‌ କଲେଜର ୭୩ ପ୍ରତିଶତ, ଶୈଳବାଳା ମହିଳା ମହାବିଦ୍ୟାଳୟର ୬୧ ପ୍ରତିଶତ କଟ୍‌ ଅଫ୍‌ ମାର୍କ ରହିଛି।

ସେହିପରି ବିଜ୍ଞାନ ବିଭାଗରେ ବିଜେବି କଲେଜ ଶୀର୍ଷରେ ରହିଛି। ଏଠାରେ ୯୫ ପ୍ରତିଶତ କଟ୍‌ ଅଫ୍‌ ମାର୍କ ଥିବା ବେଳେ ଭୁବନେଶ୍ୱରସ୍ଥିତ ରାଜଧାନୀ କଲେଜର କଟ୍‌ ଅଫ୍‌ ମାର୍କ ୮୭ ପ୍ରତିଶତ, ଖୋର୍ଦ୍ଧାସ୍ଥିତ ପ୍ରାଣନାଥ କଲେଜରେ ୬୬ ପ୍ରତିଶତ, କଟକର ଷ୍ଟେୱାର୍ଟ ସାଇନ୍ସ କଲେଜରେ ୭୨ ପ୍ରତିଶତ କଟ୍‌ ଅଫ୍‌ ମାର୍କ ରହିଛି।

ବାଣିଜ୍ୟ ବିଭାଗରେ ମଧ୍ୟ ବିଜେବି କଲେଜ ଶୀର୍ଷରେ ରହିଛି। ଏଠାରେ ବାଣିଜ୍ୟ ବିଭାଗ ପାଇଁ ୮୬ ପ୍ରତିଶତ କଟ୍‌ ଅଫ୍‌ ମାର୍କ ଥିବା ବେଳେ ସୁନାବେଡ଼ାସ୍ଥିତ ଏରୋନଟିକ୍ସ ଡିଗ୍ରି କଲେଜରେ କଟ୍‌ ଅଫ୍‌ ମାର୍କ ୪୫ ପ୍ରତିଶତ ଏବଂ ବଡ଼ବିଲ ଡିଗ୍ରି କଲେଜରେ କଟ୍‌ ଅଫ୍‌ ମାର୍କ ୪୨ ପ୍ରତିଶତ ରହିଛି।