ମାଣିକେଶ୍ୱରୀଙ୍କ ପୀଠରେ ୧୪୪ ଧାରା ଜାରି

ଭବାନୀପାଟଣା,ଏନ୍ଏନ୍ଏସ୍: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରତିବର୍ଷ ଏହି ଯାତ୍ରାରେ ହଜାରହଜାର ଲୋକ ସାମିଲ ହୋଇଥାନ୍ତି। ଚଳିତ ବର୍ଷ କରୋନା ଯୋଗୁଁ ବାହାର ଲୋକଙ୍କ ପ୍ରବେଶ ଉପରେ ସ୍ଥାନୀୟ ପ୍ରଶାସନ ରୋକ ଲଗାଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି।

ଗାଇଡଲାଇନ ଅନୁସାରେ, ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ପୌରାଞ୍ଚଳକୁ ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି। ଜରୁରୀ ସେବାକୁ ଛାଡ଼ି ଅନ୍ୟ କୌଣସି କାମ ପାଇଁ ନଆସିବାକୁ କୁହାଯାଇଛି। ସେହିପରି ଛତର ଯିବାକୁ ଥିବା ଜେନାଖାଲରୁ ମାଣିକେଶ୍ୱରୀ ପୀଠ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ୨୨ ରାତି ୧୨ରୁ ୨୫ ତାରିଖ ରାତି ୧୨ ଯାଏ ଏହି କଟକଣା ଜାରି କରାଯାଇଛି। ଏହା ସହ ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକ ଏକାଠି ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।