ଅଳିଆ ଗଦାରେ ଭୋଟର କାର୍ଡ, ଘଟଣାକୁ ଚାପି ଦେବାକୁ ପ୍ରଶାସନର ଉଦ୍ୟମ ଜିଲ୍ଲା By Nitidin Last updated Oct 22, 2020 Share କୋରୁକୋଣ୍ଡା,ଏନ୍ଏନ୍ଏସ୍ : ବାଲିମେଳା ଏନଏସିର ପୋଷ୍ଟ ଅଫିସ ନିକଟରେ ଏକ ଅଳିଆ ଗଦାରେ ୫୦ ରୁ ଉର୍ଦ୍ଧ୍ୱ ନୂତନ ଭୋଟର କାର୍ଡ ପଡିଥିବା ବାଲିମେଳାର ରାଜେନ୍ଦ୍ର ବେହେରା ନାମକ ଜଣେ ବ୍ୟବସାୟୀ ଦେଖିବାକୁ ପାଇଥିଲେ। ଏନେଇ ସେ ଉପ ଜିଲ୍ଲାପାଳଙ୍କୁ କହିବାପରେ ଉପଜିଲ୍ଲାପାଳ ତାଙ୍କୁ ହ୍ୱାଟ୍ସଆପ ମାଧ୍ୟମରେ ସେସବୁ ଭୋଟର କାର୍ଡର ଫଟୋ ପଠାଇବାକୁ କହିଥିଲେ। ଏହି ଖବର ପ୍ରଚାର ହେବାପରେ ଯେଉଁ ଶିକ୍ଷକ ଏସବୁକୁ ନେଇ ଅଳିଆ ଗଦାରେ ପକାଇଥିଲେ ସେ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତିଙ୍କୁ ତାଙ୍କ ସହ ଆଣି ଭୋଟର କାର୍ଡ ମୋତେ ଦିଅ ନହେଲେ ଭଲ ହେବନି ବୋଲି ରାଜେନ୍ଦ୍ରଙ୍କୁ ଧମକ ଦେଇଥିଲେ। ରାଜେନ୍ଦ୍ର ନ ମାନିବାପରେ ଶିକ୍ଷକ ଜଣକ ତାଙ୍କୁ କିଛି ଅର୍ଥ ଦେବେ ବୋଲି କହିଥିଲେ। ରାଜେନ୍ଦ୍ର କିନ୍ତୁ ସେସବୁ କୁ ଖାତିର ନ କରି ଭୋଟର କାର୍ଡରେ ଠିକଣା ବାହାର କରି ଜଣ ଜଣଙ୍କ ଘରକୁ ନିଜ ନିଜର ଭୋଟର କାର୍ଡ ଫେରାଇବାକୁ ଯାଇଥିଲେ। କିନ୍ତୁ ରାଜେନ୍ଦ୍ର ପହଞ୍ଚିବାର ଦିନକ ପୂର୍ବରୁ ସମସ୍ତଙ୍କୁ ନୂତନ ଭୋଟର କାର୍ଡ ପ୍ରଦାନ କରାଯାଇଥିବା ରାଜେନ୍ଦ୍ର ଜାଣିବାକୁ ପାଇଥିଲେ। ତେବେ ରାଜେନ୍ଦ୍ର ଉପ ଜିଲ୍ଲାପାଳ ଙ୍କୁ ହ୍ୱାଟ୍ସଆପ ଯୋଗେ ଯେଉଁ ଭୋଟର କାର୍ଡ ଗୁଡିକୁ ପଠାଇଥିଲେ ତାହାର ନକଲ କରି ସମସ୍ତଙ୍କୁ ଦିଆଯାଇଥିବା ରାଜେନ୍ଦ୍ର ଅଭିଯୋଗ କରିଛନ୍ତି। ଯଦି ତାହା ଏବେ ହୋଇପାରିଲା ତାହେଲେ ଆଗରୁ କେଉଁଠି ଶୋଇଥିଲା ପ୍ରଶାସନ ବୋଲି ପ୍ରଶ୍ନ କରିଛନ୍ତି। ଏଥିସହିତ ଘଟଣାରେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। Share