ନୂଆଦିଲ୍ଲୀ, ଏଜେନ୍ସି : ଆଜି ହେଉଛି ଭାରତ ରତ୍ନ ତଥା ମିସାଇଲ ମ୍ୟାନ ଡ. ଅବଦୁଲ କଲାମଙ୍କ ଜନ୍ମଦିନ। ୧୫ ଅକ୍ଟୋବର ୧୯୩୧ରେ ତାମିଲନାଡୁର ରାମେଶ୍ୱରମରେ ତାଙ୍କର ଜନ୍ମ ହୋଇଥିଲା। କଲାମ ତାଙ୍କ ପରିବାରରେ ସବୁଠାରୁ ଗେହ୍ଲାଥିଲେ।କଲାମଙ୍କର ପାଞ୍ଚ ଭାଇ ଓ ଭଉଣୀ ଥିଲେ। ତାଙ୍କର ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ କଲାମ ପିଲାଦିନରୁ ଦାୟିତ୍ୱବାନ ହେବା ଶିଖି ଯାଇଥିଲେ। ତାଙ୍କ ବାପା ଜଣେ ମତ୍ସ୍ୟଜୀବୀ ଥିଲେ। ତେବେ ଅର୍ଥ ଅଭାବରୁ ସେ ପରବର୍ତ୍ତୀ ସମୟରେ ଡଙ୍ଗାକୁ ଭଡ଼ାରେ ଲଗାଇଥିଲେ।

ସେତେବେଳେ ତାଙ୍କର ଘରେ ବିଦ୍ୟୁତ ବ୍ୟବସ୍ଥା ନଥିଲା । ତେଣୁ ସେ ଡିବିରି ଆଲୋକରେ ପାଠ ପଢୁଥିଲେ। ମଦ୍ରାସାରେ ପାଠ ପଢିବା ସହ ସକାଳୁ ଖବରକାଗଜ ବିକିବାକୁ ବାହାରି ପଡୁଥିଲେ। ଏହାଥିଲା ତାଙ୍କର ଆତ୍ମ ନିର୍ଭର ହେବାର ପ୍ରଥମ ଉଦ୍ୟମ। କଲାମ ଯେତେବେଳେ ୧୯ ବର୍ଷରେ ପଦାର୍ପଣ କରିଥିଲେ ସେତେବେଳେ ବିଶ୍ୱଯୁଦ୍ଧର ବିଭିଷିକାକୁ ସେ ଅନୁଭବ କରିପାରିଥିଲେ। ଏହି ସମୟରେ ଆବଶ୍ୟକୀୟ ଜିନିଷର ମଧ୍ୟ ଅଭାବ ଦେଖାଦେଇଥିଲା।

ଏଭଳି ପରିସ୍ଥିତିରେ ଆଧ୍ୟାପକ ସୁବ୍ରମଣ୍ୟମ ଅୟରଙ୍କ ଠାରୁ ମିଳିଥିବା ପ୍ରେରଣା ଅନୁସାରେ ଏୟାରସ୍ପେସ ଟେକନୋଲୋଜି ରେ ପଢିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଇଞ୍ଜିନିୟରିଂ ପଢିବା ଆରମ୍ଭ କରିଥିଲେ। ୧୯୬୦ରେ ମାଡ୍ରାସର ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜିରୁ ଶିକ୍ଷା ଗ୍ରହଣ ପରେ ସେ ଏରୋନେଟିକାଲ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟରେ ଯୋଗ ଦେଇଥିଲେ। ୧୯୮୦ ମସିହାରେ ଭାରତର ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଭିକେ କୃଷ୍ଣ ମେନନ କଲାମଙ୍କ ନିର୍ମିତ ଲାଞ୍ଜବିହୀନ ହୋଭର କ୍ରାଫ୍ଟ ‘ନନ୍ଦି’ ରେ ବସି ଆକାଶରେ ଉଡିଥିଲେ। ୧୯୬୯ରେ ସେ ଇସ୍ରୋକୁ ବଦଳି ହେଇଯାଇଥିଲେ ।
