ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସ୍ଥାନୀୟ ବରପାଲିପଡ଼ା ସ୍ଥିତ ବିଦ୍ୟୁତ ଟ୍ରାନ୍ସଫରମର ସଂସ୍ପର୍ଶରେ ଆସି ଆଜି ଗୋଟିଏ ଗର୍ଭିଣୀ ଗାଇର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଏହି ଟ୍ରାନ୍ସଫରମରଟି ବିପଦଶଙ୍କୁଳ ଅବସ୍ଥାରେ ରହିଛି। ଏହି ଟ୍ରାନ୍ସଫରମର ଚାରିଆଡେ କୌଣସି ବାଡ ନଥିବାବେଳେ ଏହା ରାସ୍ତା କଡରେ ଖୋଲାରେ ରହିଛି। ସେହିପରି ଏହି ଟ୍ରାନ୍ସରମରରେ ହୋଇଥିବା ବିଦ୍ୟୁତ୍ ସଂଯୋଗ ମଧ୍ୟ ହାତ ପାହାଁତାରେ ରହିଛି। ଫଳରେ ଅଞ୍ଚଳରେ ବିପଦ ଝୁଲି ରହିଛି। ଉକ୍ତ ଅଞ୍ଚଳରେ ଏଭଳି ଅନେକ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି।
ମୃତ ଗାଇର ମାଲିକ ହେଉଛନ୍ତି କଦଳି ଠେଲା ଲଗାଉଥିବା ଥିବା ପ୍ରଶାନ୍ତ ସ୍ୱାଇଁ ବୋଲି ଜଣାପଡ଼ିଛି। ବିଦ୍ୟୁତ୍ ବିଭାଗ ଏହି ଟ୍ରାନ୍ସଫରମର ପ୍ରତି ଦୃଷ୍ଟି ଦେଇ ଯଥୋଚିତ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।