ପାଟନା,ଏଜେନ୍ସି: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ରବିବାର ବିହାର ବିଧାନସଭା ନିର୍ବାଚନ ପାଇଁ ଦଳର ପ୍ରଚାର ଆରମ୍ଭ କରିଛନ୍ତି । ସେ ଗୟା ଠାରେ ଏକ ର୍ୟାଲି କରି କହିଛନ୍ତି, ‘ମୋଦୀ ହେଁ ତୋ ମୁମ୍କିନ୍ ହେଁ ଔର ନିତିଶ୍ ହେଁ ତୋ ସମ୍ଭବ ହେ’ । ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ବେଶ୍ ସୁରକ୍ଷିତ ରହିଛି । ସେହିପରି ନିତିଶ କୁମାରଙ୍କ ନେତୃତ୍ୱରେ ବିହାର ସୁରକ୍ଷିତ ରହିବ । ନିତିଶ କୁମାରଙ୍କୁ ପୁଣି କ୍ଷମତାକୁ ଫେରାଇ ଆଣିବା ଲାଗି ନଡ୍ଡା ଜନସଭାରେ ଆହ୍ୱାନ ଦେଇଥିଲେ ।
ତେବେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ)ରୁ ଚିରାଗ ପାଶୱାନଙ୍କ ନେତୃତ୍ୱାଧୀନ ଲୋକଜନ ଶକ୍ତି ପାର୍ଟି ଦୂରେଇ ଯାଇ ପୃଥକ ନିର୍ବାଚନ ଲଢିବାକୁ ନେଇଥିବା ନିଷ୍ପତ୍ତି ସମ୍ପର୍କରେ ନଡ୍ଡା ଏହି ର୍ୟାଲିରେ କିଛି ଉଲ୍ଲେଖ କରିନଥିଲେ । ବିହାରରେ କରୋନା ଭୂତାଣୁର ସଂକ୍ରମଣ ରୋକିବାରେ ନିତିଶ କୁମାର ଯେଭଳି ପଦକ୍ଷେପ ନେଇଛନ୍ତି ତାହାର ଉଚ୍ଚପ୍ରଶଂସା କରିଥିଲେ ନଡ୍ଡା ।