ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମକୁ ନୋବେଲ ଶାନ୍ତି ପୁରସ୍କାର

ଷ୍ଟକହୋମ୍‌,ଏଜେନ୍ସି: କ୍ଷୁଧାର୍ତ୍ତଙ୍କୁ ଆହାର ଯୋଗାଇ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ନିରନ୍ତର ଉଦ୍ୟମ କରିଥିବାରୁ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ(ଡବ୍ଲ୍ୟୁଏଫପି)କୁ ଚଳିତବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର-୨୦୨୦ ପ୍ରଦାନ କରାଯିବ । ଶୁକ୍ରବାର ନୋବେଲ ପୁରସ୍କାର ଚୟନ କମିଟି ଏହି ଘୋଷଣା କରିଛନ୍ତି । ବିଶ୍ୱକୁ କ୍ଷୁଧାମୁକ୍ତ କରିବା ପାଇଁ ଡବ୍ଲ୍ୟୁଏଫ୍‌ପିର କାର୍ଯ୍ୟଧାରାକୁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଇଛି । ଡବ୍ଲ୍ୟୁଏଫ୍‌ପି ମତରେ କ୍ଷୁଧା ହେଉଛି ଯୁଦ୍ଧ ଓ ବିବାଦର ପ୍ରମୁଖ କାରଣ । ବେଶ କିଛିବର୍ଷ ଧରି କ୍ଷୁଧାର୍ତ୍ତଙ୍କ ନିକଟରେ ଶାନ୍ତିଦୂତ ଭାବେ ଉଭା ହୋଇଛି ଡବ୍ଲ୍ୟୁଏଫ୍‌ପି ।

ସମସ୍ତଙ୍କ ପେଟକୁ ଖାଦ୍ୟ ଓ ଭୋକିଲାପଣ ଦୂର କରି ଶାନ୍ତି ପ୍ରତିଷ୍ଠା କରିବା ହେଉଛି ଏହି ସଂସ୍ଥାର କାର୍ଯ୍ୟ । ଡବ୍ଲ୍ୟୁଏଫ୍‌ପିର ଶାନ୍ତି ପ୍ରତିଷ୍ଠା ଉଦ୍ୟମକୁ ବିଶ୍ୱବାସୀ ପ୍ରଶଂସା କରାଯାଇଛି । ଚଳିତବର୍ଷ ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ୨୧୧ ଜଣ ବ୍ୟକ୍ତି ଓ ୧୦୭ ସଂଗଠନ ଥିଲେ । ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ଏତେସଂଖ୍ୟକ ଲୋକ ଓ ସଂଗଠନ ସାମିଲ ହେବା ୪ର୍ଥ ଘଟଣା ।