ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତମାସରୁ ରାଜ୍ୟ ସରକାର ୨ବର୍ଷିଆ ବିଏଡ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସରକାରଙ୍କ ବିଜ୍ଞପ୍ତି ପରେ ରାଜ୍ୟ ବ୍ୟାପି ଛାତ୍ରଛାତ୍ରୀମାନେ ଆବେଦନ କରୁଥିବା ବେଳେ ନିଜର ଭବିଷ୍ୟତକୁ ନେଇ ସନ୍ଧିଆନ୍ ଅବସ୍ଥାରେ ଅଛନ୍ତି । କାରଣ ଚଳିତବର୍ଷ ଠାରୁ ରାଜ୍ୟରେ ୧୪ଟି ବିଏଡ୍ କଲେଜକୁ ବନ୍ଦ କରିଦିଆଯାଇଛି । ଯେଉଁଥିରେ ପ୍ରାୟ ଏକ ହଜାର ସିଟ୍ ରହିଥିଲା । ସବୁଠାରୁ ବଡ କଥା ହେଉଛି ରାଜ୍ୟର ଆଗଧାଡିରେ ଥିବା ବିଏଡ କଲେଜ ଗୁଡିକ ଏହି ତାଲିକାରେ ରହିଥିବା ବେଳେ ଆଉ ମାତ୍ର ୬ଟି କଲେଜରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ୬ଟି ଷ୍ଟେଟ୍ ବିଏଡ୍ କଲେଜରେ ମାତ୍ର ୨୫୦ଟି ସିଟ୍ ଥିବା ବେଳେ ଅନ୍ୟାନ୍ୟ କଲେଜ ଗୁଡିକରେ ସେଲ୍ଫଫାଇନାନ୍ସ ଆକାରରେ ୬୦୦ ଓ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ କନ୍ଧମାଳରେ ଥିବା କଲେଜରେ ୧୦୦ ସିଟ୍ ରହିଛି ।
ପୂର୍ବରୁ ପ୍ରାୟ ରାଜ୍ୟରେ ୨ ହଜାର ସିଟ୍ ରହୁଥିବା ବେଳେ ମୁଖ୍ୟତଃ ଷ୍ଟେଟ୍ ବିଏଡ କଲେଜଗୁଡିକୁ କ’ଣ ଲାଗି ବନ୍ଦ କରାଗଲା ତାକୁ ନେଇ ପ୍ରଶ୍ନ ଉଠୁଛି । କାରଣ ଗରିବ ମେଧାବୀ ପିଲାମାନେ ଷ୍ଟେଟ୍ ବିଏଡ କଲେଜରେ ପାଠପଢ଼ିବାକୁ ଲକ୍ଷ୍ୟ ରଖୁଥିବା ବେଳେ କମ୍ ଖଚ୍ଚ ମଧ୍ୟରେ ନିଜର ପଢ଼ା ଶେଷ କରିପାରୁଥିଲେ । କିନ୍ତୁ ରାଜ୍ୟର ବିଭିନ୍ନ କଲେଜରେ ସେଲ୍ଫଫାଇନାନ୍ସ ଆକାରରେ ଖୋଲିଥିବା ବିଏଡ୍ କରିବାକୁ ହେଲେ ବାର୍ଷିକ ପ୍ରାୟ ୪୫ ହଜାର ଟଙ୍କା ପୈଠ କରିବାକୁ ପଡ଼ିବ । ଯାହାକି ଗରିବ ପିଲାଙ୍କୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ କରିବ ।
ସବୁଠାରୁ ବଡ଼ କଥା ହେଲା ରାଜ୍ୟର ଏକମାତ୍ର ମହିଳା ବିଏଡ କଲେଜ ଭାବେ ରାଜଧାନୀରେ ଥିବା ନଳିନୀ ଦେବୀ ମହିଳା ବିଏଡ୍ କଲେଜର ସୁନାମ ରହିଥିଲା । ହେଲେ ଏହି କଲେଜକୁ କ’ଣ ପାଇଁ ବନ୍ଦ କରାଗଲା ତାହା ଏବେ ସମସ୍ତଙ୍କୁ ଚକିତ କରିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବନ୍ଦ ହୋଇଥିବା ବିଏଡ୍ କଲେଜ ଗୁଡିକ ନ୍ୟାସନାଲ କାଉନସିଲ ଫର୍ ଟିଚର୍ସ ଏଜୁକେସନ୍ (ଏନ୍ସିଟିଇ)ର ମାନଦଣ୍ଡ ପୂରଣ କରିପାରିନଥିଲେ । ଏନ୍ସିଟିଇ ଏବାବଦରେ ବାରମ୍ବାର ଶିକ୍ଷା ବିଭାଗକୁ ଜଣାଇବା ସହିତ କଲେଜ ଗୁଡିକରେ ଭିତ୍ତିଭୂମି ବିକାଶ କରିବାକୁ ପରାମର୍ଶ ଦେଇଥିଲା । ମାତ୍ର ଶିକ୍ଷାବିଭାଗ ନିଘୋଡ ନିଦ୍ରାରେ ଶୋଇ ରହି ଏନ୍ସିଟିଇର କଥାକୁ ହେୟ ଜ୍ଞାନ କଲା । ଯାହାର ପରିଣାମ ସ୍ୱରୂପ ରାଜ୍ୟରେ ୧୪ଟି ବିଏଡ୍ କଲେଜ ବନ୍ଦ ହୋଇଗଲା । ବିଶେଷକରି ଏହି କଲେଜ ଗୁଡିକରେ ଶିକ୍ଷାଦାନ ଲାଗି ଶିକ୍ଷକଙ୍କ ଯଥେଷ୍ଠ ଅଭାବ ଓ ହଷ୍ଟେଲ ଓ ଅନ୍ୟାନ୍ୟ ଭିଭିତ୍ତିଭୂମିର ଅଭାବ ଏହାର ମୂଳ କାରଣ ସାଜିଥିଲା ।
ଦୀର୍ଘ ୪ବର୍ଷ ହେବ ରାଜ୍ୟରେ ବିଏଡ କଲେଜ ଗୁଡିକ ଉତ୍କଟ ସମସ୍ୟା ଦେଇ ଗତି କରୁଥିବା ବେଳେ ବିୀଭାଗୀୟ ସଚିବମାନେ ଏଥିପ୍ରତି ଆଖି ବୁଜି ଦେଇଥିଲେ । କେବଳ ଚିଠି ଖଣ୍ଡେ ଲେଖି ବାବୁମାନେ ନିଜ କାର୍ଯ୍ୟ ସାରିଦେଇଥିବା ବେଳେ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିଲେ ।
ବନ୍ଦ ହୋଇଯାଇଥିବା କଲେଜ ମଧ୍ୟରେ କଟକ ସ୍ଥିତ ଆର୍ଏନ୍ଆଇଏଏସ୍ଇ, ସମ୍ବଲପୁର ସ୍ଥିତ ଡ.ପିଏମ୍ଆଇଏଏସ୍ଇ, ବ୍ରହ୍ମପୁରର ଡିପିଆଇଏଏସ୍ଇ, ଅନୁଗୁଳର ଏନ୍କେସି ସିଟିଇ, ବାଲେଶ୍ୱର ସିଟିଇ, ବଲାଙ୍ଗିର ସିଟିଇ, ଭଞ୍ଜନଗରର କେଏସ୍ୟୁବି ସିଟିଇ, କୋରାପୁଟ ଡିଏଭି ସିଟିଇ, ରାଉରକେଲା ସିଟିଇ, ଫକୀରପୁର ଏଏଟିସି, ବାରିପଦାର ୟୁଜି ସିଟିଇ, କଳାହାଣ୍ଡି ସିଟିଇ, ଫୁଲବାଣୀର ସରକାରୀ ଶିକ୍ଷକ ପ୍ରଶିକ୍ଷଣ କଲେଜ ଏବଂ ରାଜଧାନୀର ନଳିନୀ ଦେବି କଲେଜ ଆଦି ବନ୍ଦ ହୋଇଯାଇଛି । ଚଳିତବର୍ଷ ଏହି ସବୁ କଲେଜରେ ଶିକ୍ଷାଦାନ ଲାଗି ଆବେଦନ ପତ୍ର ଗ୍ରହଣ କରାଯାଉନଥିବାରୁ ପିଲା ଓ ସିଟ୍ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । କାରଣ ବର୍ତ୍ତମାନ ସୁଦ୍ଧା ବିଏଡ ପାଠ୍ୟକ୍ରମ ପାଇ ୫୨ ହଜାର ୮୩୩ ଜଣ ପିଲା ଫର୍ମ ଦାଖଲ କରିସାରିଛନ୍ତି । ଆଗକୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ।