ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ଖ୍ରୀଆ ରୋଡ଼ସ୍ଥିତ ଜାତୀୟ ରାଜପଥ ସହକାରୀ ଯନ୍ତ୍ରୀ ସଂଯୋଗ ମେହେର ୨୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ତାଙ୍କ ସରକାରୀ ବାସଭବନରେ ଚଢ଼ଉ କରାଯାଇଛି। ଟଙ୍କା ସହ ଯନ୍ତ୍ରୀଙ୍କୁ ଗିରଫ କରାଯାଇ ଭବାନୀପାଟଣା ଭିଜିଲାନ୍ସ କୋର୍ଟକୁ ପଠାଯାଇଛି।
ସୂଚନା ଅନୁସାରେ ଖରିଆର ରୋଡ଼ ନିବାସୀ ସୁଶାନ୍ତ କୁମାର ଲୋହରା କୋମନା ବ୍ଲକ୍ ଗୋହିରା ପଦର ଗାଁ’ର ଜାତୀୟ ରାଜପଥ ୩୫୩ ରାସ୍ତା କଡ଼ରେ ପେଟ୍ରୋଲ ପମ୍ପ ତିଆରି କରିବାକୁ ଯାଉଥିବାବେଳେ ଜାତୀୟ ରାଜପଥ ଯନ୍ତ୍ରୀଙ୍କଠାରୁ ଅନୁଧ୍ୟାନ ରିପୋର୍ଟ ଦରକାର ପଡିଥାଏ। ଯନ୍ତ୍ରୀଙ୍କୁ ଅନୁଧ୍ୟାନ ରିପୋର୍ଟ ମାଗିବାରୁ ୧ ଲକ୍ଷ ଟଙ୍କା ମାଗିଥିଲେ। ପରେ ଏନେଇ ୨୦ ହଜାର ଟଙ୍କାରେ କଥା ଚିଣ୍ଡିଥିଲା।
ଏନେଇ ସୁଶାନ୍ତ ଲୋହରା କୋରାପୁଟ ଭିଜିଲାନ୍ସ ଏସପିଙ୍କୁ ଅଭିଯୋଗ କରିଥିଲେ। କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ା ଡିଏସପି ସତ୍ୟବାନ ମହାନନ୍ଦ ଯୋଜନା ପ୍ରସ୍ତୁତ କରି ଆଜି ୨୦ ହଜାର ଟଙ୍କାରେ ରାସାୟନିକ ଲେପ ଲଗାଇ ଲାଞ୍ଚ ଦେଇଥିଲେ। କିଛି ସମୟ ପରେ ଭିଜିଲାନ୍ସ ଟିମ ଯନ୍ତ୍ରୀଙ୍କ ବାସଭବନରେ ଚଢ଼ଉ କରିଥିଲେ। ଯନ୍ତ୍ରୀ ଭିଜିଲାନ୍ସ ଟିମକୁ ଜାଣି ପାରି ଟଙ୍କାକୁ ଏପଟେ ସେପଟେ ଲୁଚାଇବାକୁ ଚେଷ୍ଟା କରିଥିଲେ ହେଁ ଧରାପଡ଼ିଯାଇଥିଲେ।