କାଲି କାନ୍ଦୁଥିବା ଆଖିରେ ଆଜି ଖୁସିର ଝଲକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କୌଣସି ନା କୌଣସି ଭିଡିଓ ପ୍ରତିଦିନ ଭାଇରାଲ ହୋଇଥାଏ। କିଛି ଭିଡିଓକୁ ଦେଖି ଲୋକେ ଖୁସିରେ ଝୁମି ଉଠିଥାନ୍ତି ତ ଆଉ କିଛି ଭିଡିଓ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥାଏ। ଏଥର ଦିଲ୍ଲୀର ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ଭିଡିଓ ଭାଇରାଲ ହୋଇଛି। ବୃଦ୍ଧଙ୍କ ଭିଡିଓ ଭାଇରାଲ ହେବା ପରେ ସମଗ୍ର ଦେଶର ଲୋକ ତାଙ୍କୁ ସାହାଯ୍ୟ କରିବା ପାଇଁ ସାମ୍ନାକୁ ଆସିଛନ୍ତି।

ଭାଇରାଲ ଭିଡିଓରେ ଜଣେ ବୃଦ୍ଧ କାନ୍ଦୁଥିବା ଦେଖିବାକୁ ମିଳିଛି। ବୃଦ୍ଧ ଜଣକ ତାଙ୍କ ପତ୍ନୀଙ୍କ ସହ ମାଲବୀୟ ନଗରରେ ଏକ ଢାବା ଚଲାନ୍ତି। ଏହି ଢାବାର ନାମ ହେଉଛି ‘ବାବା କା ଢାବା’। କରୋନା ମହାମାରୀ ଯୋଗୁ କେହି ବି ଏହି ଢାବାକୁ ଖାଇବା ପାଇଁ ଆସୁନଥିଲେ। ୟୁଟ୍ୟୁବର ଗୌରବ ବାସନ ଢାବାରେ ବୃଦ୍ଧଙ୍କ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯାହାକି ଅଳ୍ପ ସମୟ ମଧ୍ୟରେ ଭାଇରାଲ ହୋଇଥିଲା। ପରେ ବଡ଼ ବଡ଼ ତାରକାଙ୍କ ସମେତ ଅନେକ ଲୋକ ସାହାଯ୍ୟର ହାତ ବଢାଇଥିଲେ। ଏଥିସହିତ ଆଜି ଟ୍ୱିଟରରେ ‘ବାବା କା ଢାବା’ ଟ୍ରେଣ୍ଡ କରୁଥିବାବେଳେ ଢାବା ସମ୍ମୁଖରେ ମଧ୍ୟ ଲୋକଙ୍କ ଭିଡ଼ ଜମିଥିଲା। ଆଉ କାଲି କାନ୍ଦୁଥିବା ବୃଦ୍ଧଙ୍କ ମୁହଁରେ ଆଜି ଖୁସିର ଝଲକ ଦେଖିବାକୁ ମିଳିଥିଲା।