କୋରାପୁଟ ରେଳ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ଗୁରୁବାର ସନ୍ଧ୍ୟାରେ କୋରାପୁଟ ରେଳ ଷ୍ଟେସନରୁ ଜଣେ ଯୁବକଙ୍କ ଠାରୁ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜିଆରପି ଜବତ କରିବା ସହ ସମ୍ପୃକ୍ତ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ବିହାରର ପଶ୍ଚିମ ଚମ୍ପାରନ୍ ଜିଲ୍ଲା ସିକତାର ବଜାର ଅଞ୍ଚଳର ଫିରୋଜ ଆଲାମ(୨୨) ବୋଲି ଜଣାପଡ଼ିଛି। ଫିରୋଜ ଏକ ଟ୍ରଲି ବ୍ୟାଗ ଧରି ହୀରାଖଣ୍ଡ ଟ୍ରେନରେ ଯିବା ନିମନ୍ତେ ଷ୍ଟେସନରେ ଅପେକ୍ଷା କରିଥିବାବେଳେ ଆରପିଏଫର ଜଣେ ଯବାନ ସନ୍ଦେହ କରି ବ୍ୟାଗ ତଲାସି କରିଥିଲେ। ପରେ ବ୍ୟାଗ ଭିତରେ ଗଞ୍ଜେଇ ଥିବା ଜଣାପଡିଥିଲା।

ଆରପିଏଫ୍ ଯବାନ ସମ୍ପୃକ୍ତ ଫିରୋଜକୁ ଜିଆରପିକୁ ହସ୍ତାନ୍ତର କରିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା। ଏହା ୧୧ କିଲୋ ୭୦୦ ଗ୍ରାମ୍ ହୋଇଥିବାବେଳେ ଆନୁମାନିକ ମୁଲ୍ୟ ପ୍ରାୟ ୬୦ ହଜାର ଟଙ୍କା ହେବ ବୋଲି ଜିଆରପି ପୁଲିସ ସୂଚନା ଦେଇଛି। ଏଥିସହିତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।