ବାରିପଦା, ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅଧୀନ ବ୍ରାହ୍ମଣଗାଁ ପଞ୍ଚାୟତର ଦୋମୁହାଁଣିଠାରେ ଝୁଲା ପୋଲ ନିର୍ମାଣର ସ୍ୱପ୍ନ ଅଧୁରା ରହିଗଲା। ବ୍ରାହ୍ମଣଗାଁ, ସୋରିଷପାଳ ଓ ଚାକିଡ଼ି ଆଦି ପଞ୍ଚୟତରେ ବସବାସ କରୁଥିବା ପ୍ରାୟ ୧୦ ହଜାରରୁ ଅଧିକ ଜନସାଧାରଣଙ୍କ ଗମନାଗମନର ସୁବିଧା ନିମନ୍ତେ ୨୦୧୫ରେ ତତ୍କାଳୀନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ଏକ ଝୁଲା ପୋଲ ନିର୍ମାଣର ସ୍ୱପ୍ନ ଦେଖିଥିଲେ।
ଏହାକୁ ସାକାର କରାଇବା ପାଇଁ ବାରିପଦା ପିଏ ଆଇଟିଡ଼ିଏ ମାଧ୍ୟମରେ ପ୍ରଥମ କିସ୍ତିରେ ଏକ କୋଟି ୫୦ ଲକ୍ଷ ଓ ପରବର୍ତ୍ତୀ କିସ୍ତିରେ ୮୦ ଲକ୍ଷ ଟଙ୍କା ମଞ୍ଜୁରୀ ପ୍ରଦାନ କରାଇଥିଲେ। ପୋଲଟି ନିର୍ମାଣ ହେଲା ସତ, କିନ୍ତୁ ପୋଲର ଦୁଇ ମୁଣ୍ଡର ପିଲର ସହିତ ରାସ୍ତାକୁ ସଂଯୋଗ କରାଯାଇ ପାରିଲା ନାହିଁ। ଫଳରେ ବର୍ଷା ଦିନେ ନଦୀରେ ବନ୍ୟା ଆସି ପୋଲର ଗୋଟାଏ ପାଶ୍ୱର୍କୁ ଧୋଇ ନେଇଗଲା। ଫଳରେ ଝୁଲା ପୋଲଟି ନଦୀ କୁଳକୁ ସ୍ପର୍ଶ କରି ନ ପାରି ନଦୀରେ ଝୁଲି ରହିଲା। ପୁଣି ପରବର୍ତ୍ତୀ ସମୟରେ ପୋଲର ଦୁଇ ପାଶ୍ୱର୍ରେ ଥିବା ଦୁଇଟି ପିଲର ସହିତ ପ୍ରାୟ ୨ ଶହ ମିଟରର ବାକି ରହିଯାଇଥିବା ରାସ୍ତାକୁ ସଂଯୋଗ କରାଇବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ନାବାର୍ଡ଼ ସହାୟତାରେ ୧୪ ଲକ୍ଷ ୫୫ ହଜାର ଟଙ୍କା ୩୦୦ ଟଙ୍କା ମଞ୍ଜୁରୀ ପ୍ରଦାନ କରିଥିଲେ ଏବଂ ମଝି ନଦୀରେ ଝୁଲି ଥିବା ପୋଲକୁ ସଂଯୋଗ କରାଇବା ନିମନ୍ତେ ଅସ୍ଥାୟୀ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା।
