କୋଭିଡ୍ ଗାଇଡ୍‌ଲାଇନ୍ ନମାନିବାରୁ କମଲନାଥଙ୍କ ବିରୋଧରେ ମାମଲା

ଭୋପାଳ,ଏଜେନ୍ସି: କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ଜାରି ହୋଇଥିବା କୋଭିଡ୍‌-୧୯ ଗାଇଡ୍‌ଲାଇନ୍ ନମାନିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କମଲନାଥଙ୍କ ପାଇଁ ମହଙ୍ଗା ପଡିଛି । ସେ ଏକ ସାଧାରଣ ସଭାରେ ଯୋଗ ଦେବା ସମୟରେ କୋଭିଡ୍ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗ ହେବାରୁ ତାଙ୍କ ସମେତ ଅନ୍ୟ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସବ୍‌-ଡିଭିଜନାଲ ମାଜିଷ୍ଟ୍ରେଟ୍ (ଏସ୍‌ଡିଏମ୍‌)ଙ୍କ ଲିଖିତ ଅଭିଯୋଗ ଆଧାରରେ କମଲନାଥ ଏବଂ ଅନ୍ୟ ୮ ଜଣଙ୍କ ବିରୋଧରେ ଡାଟିଆ ଜିଲ୍ଲାର ଭଣ୍ଡର ପୁଲିସ ଥାନାରେ ଏ ନେଇ ଏତଲା ରୁଜୁ ହୋଇଛି ।

ଏତଲାରେ ଦର୍ଶାଯାଇଛି ଜିଲ୍ଲା କଂଗ୍ରେସ ମୁଖ୍ୟ ନହର ସିଂ ଯାଦବ ଗତ ୫ ରେ ଏକ ବୈଠକ ଆୟୋଜନ କରିବା ପାଇଁ ଅନୁମତି ମାଗିଥିଲେ ଏବଂ ଏଥିପାଇଁ ଅନୁମତି ମଧ୍ୟ ମିଳିଥିଲା । ହେଲେ ଏହି ବୈଠକରେ ନିର୍ଦ୍ଧାରିତ ୧୦୦ ଲୋକଙ୍କ ଜାଗାରେ ୨୦୦୦-୨୫୦୦ ଲୋକ ଉପସ୍ଥିତ ଥିଲେ ଏବଂ ସାମାଜିକ ଦୂରତ୍ୱ ନିୟମକୁ ଅଦୌ ମାନି ନଥିଲେ । ତେଣୁ କୋଭିଡ-୧୯ ସୁରକ୍ଷା ନିର୍ଦ୍ଦେଶାବଳୀ ଏବଂ ସିଆରପିସିର ଧାରା ୧୪୪ର ଉଲ୍ଲଘଂନ ହୋଇଥିଲା । ମଧ୍ୟପ୍ରଦେଶରେ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ଏହି ନିର୍ବାଚନୀ ବୈଠକର ଆୟୋଜନ କରାଯାଇଥିଲା ।