ପାଟନା,ଏଜେନ୍ସି: ବିହାର ବିଧାନସଭା ନିର୍ବାଚନ ଆସନ୍ତା ୨୮ରୁ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଥିଲା ବେଳେ ଆରଜେଡି, କଂଗ୍ରେସ ଓ ବାମପନ୍ଥୀ ଦଳଗୁଡିକୁ ନେଇ ଗଠିତ ବିରୋଧୀ ଦଳର ମହାମେଣ୍ଟ ମଧ୍ୟରେ ଆସନ ବୁଝାମଣା ହୋଇଛି । ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ୨୪୩ ଆସନ ବିଶିଷ୍ଟ ବିଧାନସଭାର ୧୪୪ ଆସନରେ ଆରଜେଡି ପ୍ରତିଦ୍ୱନ୍ଦ୍ୱିତା କରିବ । କଂଗ୍ରେସ ୭୦ ଆସନ ଏବଂ ବାମପନ୍ଥୀ ଦଳଗୁଡିକ ୨୯ ଆସନରେ ପ୍ରାର୍ଥୀ ଦେବେ ବୋଲି ଆରଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ବାମପନ୍ଥୀ ଦଳଗୁଡିକ ମଧ୍ୟରୁ ସିପିଆଇଏମଏଲ ୧୯ ଆସନରେ ପ୍ରାର୍ଥୀ ଦେବ । ସିପିଆଇ ୬ ଓ ସିପିଏମ୍ ୪ ଆସନରେ ପ୍ରାର୍ଥୀ ଛିଡ଼ା କରିବ । ଉଲ୍ଲେଖଯୋଗ୍ୟ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ରାଞ୍ଚିରେ ଚିକିତ୍ସିତ ହେଉଥିଲା ବେଳେ ତାଙ୍କର ଘନିଷ୍ଠ ସହଯୋଗୀ ଭୋଳା ଯାଦବଙ୍କ ହାତରେ ଏକ ବାର୍ତ୍ତା ପଠାଇଥିଲେ । ଗତ ଗୁରୁବାର ଭୋଳା ଯାଦବ ରାଞ୍ଚିରୁ ଆସି ପାଟନାରେ ପହଞ୍ଚିବା ପରେ ମହାମେଣ୍ଟର ସହଯୋଗୀ ଦଳଗୁଡିକ ମଧ୍ୟରେ ସୁରୁଖୁରୁରେ ଆସନ ବଣ୍ଟନ ହୋଇଛି । ଗତ ଶୁକ୍ରବାର ସିପିଆଇଏମ୍ଏଲ ସାଧାରଣ ସମ୍ପାଦକ ଦୀପଙ୍କର ଭଟାଚାର୍ଯ୍ୟ ଏବଂ ଦଳର ବିହାର ଶାଖା ସମ୍ପାଦକ କୁନାଲ ଆରଜେଡି ନେତା ତେଜସ୍ୱୀଙ୍କୁ ଭେଟି ଆସନ ବୁଝାମଣା ବିଷୟରେ ଆଲୋଚନା କରିଥିଲେ ।
ବାମପନ୍ଥୀ ଦଳଗୁଡିକ ପୂର୍ବରୁ ଅଧିକ ଆସନ ଦାବି କରୁଥିଲେ । ମାତ୍ର ଆରଜେଡି ସେମାନଙ୍କୁ ୧୫ଟିରୁ ଅଧିକ ଆସନ ଛାଡିବାକୁ ପ୍ରସ୍ତୁତ ନଥିଲା । ଅବଶେଷରେ ବାମପନ୍ଥୀ ଦଳଗୁଡିକୁ ୨୯ ଆସନ ମିଳିଛି । ଏହି ପରିପ୍ରେକ୍ଷରୀରେ କଂଗ୍ରେସ ପକ୍ଷରୁ କୁହାଯାଇଛି ‘ୟୁପିଏ’ର କେତେକ ଅଂଶିଦାର ଦଳ ଆଗାମୀ ବିଧାନସଭା ନିର୍ବାଚନରେ ଏକତ୍ର ଲଢିବାକୁ ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସ, ଆରଜେଡି, ସିପିଆଇ, ସିପିଏମ୍ ଓ ବିକାଶଶୀଳ ଇନ୍ସାନ୍ ପାର୍ଟି ଏହି ମହାମେଣ୍ଟରେ ସାମିଲ ହୋଇଛନ୍ତି । ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ବିହାରକୁ ସମୃଦ୍ଧ କରିବାକୁ ଆମେ ଚାହୁଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ତେଜପ୍ରତାପ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲା ବେଳେ କଂଗ୍ରେସ ନେତା ଅବିନାଶ ପାଣ୍ଡେ, ଆରଜେଡି ନେତା ଭୋଲା ଯାଦବ ଓ ବାମପନ୍ଥୀ ଦଳର ନେତାମାନେ ଉପସ୍ଥିତ ଥିଲେ ।
ଅପରପକ୍ଷରେ ଶାସକମେଣ୍ଟ ଏନ୍ଡିଏରେ ଏ ପର୍ଯ୍ୟନ୍ତ ଆସନ ବୁଝାମଣା ହୋଇନାହିଁ । ଲୋକ ଜନଶକ୍ତି ପାର୍ଟି ନେତା ରାମବିଳାସ ପାଶୱାନ ଅଧିକ ଆସନ ନେବା ଲାଗି ମୁଲଚାଲ କରୁଥିବା କୁହାଯାଉଛି । ତେବେ ଭବିଷ୍ୟତ ରଣନୀତି ପ୍ରସ୍ତୁତ କରିବା ଲାଗି ଶନିବାର ଏଲଜେପିର ସଂସଦୀୟ ବୋର୍ଡ ବୈଠକ ବସିଥିବା ଜଣାପଡିଛି ।