ଲଘୁଚାପ ପ୍ରଭାବରେ ରାୟଗଡ଼ାରେ ୩୪୯ମିମି ବର୍ଷା : ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ରାୟଗଡ଼ା,ଏନ୍ଏନ୍ଏସ୍: ଆନ୍ଧ୍ର ଉପକୂଳ ସଂଲଗ୍ନ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାୟଗଡ଼ାରେ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୩୪୯ ମିମି ବର୍ଷା ରେକର୍ଡ କରାଯାଇଛି। ୫ ତାରିଖ ପର୍ୟ୍ୟନ୍ତ ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗି ରହିବା ନେଇ ସ୍ପଷ୍ଟ ହେବାପରେ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରଶାସନକୁ ସତର୍କ ରହିବା ପାଇଁ ନିର୍ଦେଶ ଦିଆଯାଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲିବା ସହ ସମସ୍ତ ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ରହିବାକୁ ଏସଆରସି ନିର୍ଦେଶ ଦେଇଛନ୍ତି। ପ୍ରବଳ ବର୍ଷା ଯୋଗୁ ରାସ୍ତାଘାଟ ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଓଡ୍ରାଫ୍ ଟିମ୍, ପୂର୍ତ୍ତ ଓ ଗ୍ରାମ୍ୟ ନିର୍ମାଣ ବିଭାଗ ରାସ୍ତାର ମରାମତି ନେଇ ଆବଶ୍ୟକ ସାମଗ୍ରୀ, ଜେସିବି ମେସିନ୍ ବନ୍ୟା ପ୍ରଭାବିତ ଅଞ୍ଚଳରେ ରଖିବା ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଜିଲ୍ଲାର ମୁନିଗୁଡ଼ା ବ୍ଲକରେ ସର୍ବାଧିକ ୧୦୩.୬ ମିମି ବର୍ଷା ହୋଇଥିବାବେଳେ ରାୟଗଡ଼ା ବ୍ଲକରେ ୧୨.୩ ମିମି, କୋଲନରାରେ ୧୨.୨ ମିମି, କଲ୍ୟାଣସିଂହପୁରରେ ୧୭.୮ ମିମି, କାଶୀପୁରରେ ୮ ମିମି, ଗୁଣପୁରରରେ ୧୨ ମିମି, ପଦ୍ମପୁରରେ ୧୮.୩ ମିମି, ଗୁଡ଼ାରିରେ ୫୬.୪ ମିମି, ରାମନାଗୁଡାରେ ୧୬.୬ ମିମି, ବିଷମକଟକରେ ୫୪ ମିମି, ଚନ୍ଦ୍ରପୁରରେ ୩୮ ମିମି ବର୍ଷା ହୋଇଛି। ବର୍ଷା ପରିମାଣ ବଢ଼ିଥିଲେ ମଧ୍ୟ ଜିଲ୍ଲାର ବଂଶଧାରା, ନାଗାବଳୀ, କଲ୍ୟାଣୀ ନଦୀ ଜଳସ୍ତର ସତର୍କ ସଂକେତ ତଳେ ଥିବା ସୂଚନା ମିଳିଛି। ୫ ତାରିଖ ପର୍ୟ୍ୟନ୍ତ ବର୍ଷାର ପ୍ରକୋପ ଲାଗି ରହିବା ସମ୍ଭାବନା ଥିବାରୁ ପ୍ରତିଦିନ ବର୍ଷା ସ୍ଥିତି ସଂପର୍କରେ ଏସିଆରସିଙ୍କ କାର୍ୟ୍ୟାଳୟକୁ ରିପୋର୍ଟ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ହୋଇଛି।