ବରଗଡ଼,ଏନ୍ଏନ୍ଏସ୍: ଆଜି ବରଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯିବା ସହିତ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଯୁଗଳ ପ୍ରସାଦ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଥପ୍ରାନ୍ତ ପ୍ରତିବାଦ ସଭାରେ ଉପସ୍ଥିତ କଂଗ୍ରେସ କର୍ମକର୍ତ୍ତା କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତି ଉପରେ ବର୍ଷିଥିଲେ। ସମସ୍ତେ ସରକାରଙ୍କ ନୂତନ କୃଷିନୀତି ସମଗ୍ର ଚାଷୀ ସମାଜକୁ କ୍ଷତିରେ ପକାଇବ ଏବଂ କୃଷି ଏବେ ପୁଞ୍ଜିପତି ମାନଙ୍କର ହାତମୁଠାକୁ ଚାଲିଯିବ। ଚାଷୀଙ୍କ ପ୍ରତି ଏଭଳି ବ୍ୟବହାରକୁ କଂଗ୍ରେସ କେବେ ବରଦାସ୍ତ କରିବ ନାହିଁ ବୋଲି ସମସ୍ତେ ଚେତାଇ ଦେଇଥିଲେ।
ଏଥିସହିତ ଉତ୍ତର ପ୍ରଦେଶର ବହୁ ଚର୍ଚ୍ଚିତ ହାଥରସ ଘଟଣାରେ ପୁଲିସକୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି। ସେହିଭଳି ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୀଡ଼ିତାଙ୍କ ପରିବାରକୁ ସାକ୍ଷାତ କରିବାକୁ ଯିବା ସମୟରେ ପୁଲିସ ତାଙ୍କୁ ଅଟକାଇ ଦୁର୍ବ୍ୟବହାର କରିଥିଲା। ଏପରିକି ତାଙ୍କୁ ଧକ୍କା ଦେଇ ତଳେ ପକାଇବା ଓ ପରବର୍ତ୍ତୀ ସମୟରେ ଗିରଫ କରବା ଘଟଣାକୁ କଂଗ୍ରେସ ପକ୍ଷରୁ ଭର୍ତ୍ସନା କରାଯାଇଥିଲା। ଏନେଇ ଆଜି ଯୁବ କଂଗ୍ରେସ କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।
ଏଥିରେ ପୂର୍ବ ବିଧାୟକ ନିହାର ରଞ୍ଜନ ମହାନନ୍ଦ, କଂଗ୍ରେସ ନେତା ତଥା ବରଗଡ଼ ବିଧାନସଭା ପ୍ରାର୍ଥୀ ନିପନ ଦାଶ, ସରୋଜ ଷଡ଼ଙ୍ଗୀ, ସରୋଜ ମହାପାତ୍ର, ଆଇଏନଟିୟୁସି ଜିଲ୍ଲା ସଭାପତି ବ୍ରହ୍ମା ମହାକୁଡ଼, ଯୁବ ସଭାପତି ଅମିତ ସାହୁ, ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାହୁ, ଇମାନୁଏଲ ଦତ୍ତ ରଣବୀର, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ପୂଜାରୀ, ପ୍ରଦେଶ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଅଭିଳାଷ ପତି, ବରଗଡ଼ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ କୋଅର୍ଡିନେଟର ପପୁ କୁମ୍ଭାର, ଗୋବିନ୍ଦ ମେହେର ପ୍ରମୁଖ ସାମିଲ ଥିଲେ।