ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଗତ ଏକ ଦଶକ ମଧ୍ୟରେ ଡ୍ରଗ୍ସ କାରବାର ଅଧିକ ମାତ୍ରାରେ ବୃଦ୍ଧି ପାଇଛି । ତେବେ ଏହି ଡ୍ରଗ୍ସ ଭାରତକୁ ଅଧିକମାତ୍ରାରେ ପାକିସ୍ତାନରୁ ଚାଲାଣ କରାଯାଉଛି ବୋଲି ଇୟୁ ରିପୋର୍ଟର ମ୍ୟାଗାଜିନ୍ ପକ୍ଷରୁ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି । ସାଧାରଣତଃ ଭାରତ-ପାକ୍ ସୀମା ଦେଇ ଏହି ଅବୈଧ ପଦାର୍ଥର ପରିବହନ କରାଯାଉଛି ।
ଭାରତକୁ ପ୍ରତିବର୍ଷ ୭୪୦ ବିଲିୟନ୍ ଆମେରିକୀୟ ଡଲାର୍ରୁ ଊର୍ଦ୍ଧ୍ୱ ଟଙ୍କାର ଡ୍ରଗ୍ସ ରପ୍ତାନି କରାଯାଉଥିବା ‘ଆମେରିକାନ୍ ଜର୍ଣ୍ଣାଲ୍ ଅଫ୍ ପ୍ରିଭେନ୍ଟିଭ୍ ମେଡିସିନ୍’ରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଇଥିବା ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ (ରୋହତକ)ର ନିର୍ଦ୍ଦେଶକ ପ୍ରଫେସର ଧୀରଜ ଶର୍ମା ଇୟୁ ରିପୋର୍ଟରରେ ଉଲ୍ଲେଖ କରିଛନ୍ତି । ସର୍ବେକ୍ଷଣ ଅନୁଯାୟୀ ଦିଲ୍ଲୀ, ପଞ୍ଜାବ ଏବଂ ଗୁଜରାଟରର କିଛି ଡ୍ରଗ୍ସ ଚାଲାଣକାରୀ ଏହି ମାମଲାରେ ସମ୍ପୃକ୍ତ ଅଛନ୍ତି । ଗତ ଦଶବର୍ଷ ମଧ୍ୟରେ ଭାରତରେ ଡ୍ରଗ୍ସ କାରବାର ଏବଂ ଏ ସମ୍ବନ୍ଧୀୟ ଗିରଫଦାରୀ ମାମଲା ବୃଦ୍ଧି ପାଇଛି ।
ଗିରଫ ହୋଇଥିବା ଡ୍ରଗ୍ସ ଚାଲାଣକାରୀଙ୍କ ମଧ୍ୟରୁ ୮୪ ପ୍ରତିଶତ କହିଛନ୍ତି ଯେ, ପାକିସ୍ତାନରୁ ଭାରତକୁ ଡ୍ରଗ୍ସ ଚାଲାଣ କରାଯାଉଛି । ଏହାଛଡ଼ା ୫ପ୍ରତିଶତ ଡ୍ରଗ୍ ଚାଲାଣକାରୀ ନେପାଳରୁ ଡ୍ରଗ୍ସ ଚାଲାଣ ହେଉଥିବା କହିଥିବା ବେଳେ ୪.୨୪ ପ୍ରତିଶତ ଆଫ୍ଗାନିସ୍ତାନରୁ ଡ୍ରଗ୍ସ ଚାଲାଣ ହେଉଥିବା ସୂଚନା ଦେଉଥିବା ସର୍ବେକ୍ଷଣରୁ ଜଣାପଡ଼ିଛି ।