ବିଧାନସଭା: ‘ସିନ୍ଦୁର ବଜାରରେ ମିଳୁଛି, ହତଭାଗିନୀ କପାଳରେ ନାହିଁ’

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ‘ସିନ୍ଦୁର ବଜାରରେ ମିଳୁଛି, ହତଭାଗିନୀ କପାଳରେ ନାହିଁ’ ବୁଧବାର ବିଧାନସଭା ଶୂନ୍ୟକାଳରେ ଶାସକ ଦଳର ବରିଷ୍ଠ ବିଧାୟକ ଅମର ଶତପଥୀ ବହୁବର୍ଷ ସେଟେଲ୍‌ମେଣ୍ଟ କାମ ବନ୍ଦ ରହିବାରୁ ଚାଷୀ କିପରି ସହାୟତା ପାଇବାରେ ବଞ୍ଚିତ ହେଉଛନ୍ତି ସେନେଇ ଉପରୋକ୍ତ ଟିପ୍ପଣୀ କରିଥିଲେ ।

ନିଜ ବକ୍ତବ୍ୟରେ ସେ କହିଥିଲେ ଯେ ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ବହୁ ପଦକ୍ଷେପ ନେଉଛନ୍ତି । ବିଶେଷକରି ବିଗତ ଦିନରେ ଚାଷୀ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଥିବା ବେଳେ ସରକାର ମଧ୍ୟ ସେମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । ମାତ୍ର ରାଜ୍ୟର କେତେକ ନଟ୍ ଫାଇନାଲ ଏରିଆରେ ଚାଷୀମାନେ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବେଳେ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ସେଟେଲ୍‌ମେଣ୍ଟ, କନସୋଲିଡେସନ୍ କାମ ବନ୍ଦ ହୋଇଗଲାଣି । ଫଳସ୍ୱରୂପ ଆଜି ସୁଦ୍ଧା ରାଜ୍ୟର ବହୁ ଗ୍ରାମରେ ଚୂଡ଼ାନ୍ତ ତାଲିକା (ନଟ୍ ଫାଇନାଲ୍ ଏରିଆ) ପ୍ରକାଶ ପାଇନାହିଁ । ଫଳରେ ଉପରୋକ୍ତ ଅଞ୍ଚଳଗୁଡ଼ିକ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବାବେଳେ ସେମାନଙ୍କ ତାଲିକା ଚୂଡ଼ାନ୍ତ ହୋଇପାରିଲା ନାହିଁ ।

ଫନି ବାତ୍ୟା ବେଳେ ସମ୍ପୃକ୍ତ ଅଞ୍ଚଳର ଚାଷୀ ସହାୟତା ପାଇବାରୁ ବଞ୍ଚିତ ହୋଇଥିଲେ । ଏବେ ରାଜ୍ୟର ଅର୍ଦ୍ଧାଧିକ ଅଞ୍ଚଳ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବେଳେ ସମାନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେଣୁ ଯେଉଁଠି ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କୁ ସହାୟତା ଦେବା ପାଇଁ ବାଚସ୍ପତି ରାଜସ୍ୱ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ଶତପଥୀ ଦାବି କରିଥିଲେ ।