ଲଢୁଆ ଜେଟ୍‌ର ‘ସୋନିକ୍ ବୁମ୍‌’ ଶବ୍ଦରେ କମ୍ପି ଉଠିଲା ପ୍ୟାରିସ୍ ସହର

ପ୍ୟାରିସ୍‌,ଏଜେନ୍ସି: ବୁଧବାର ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ରେ ହଠାତ୍ ଏଭଳି ପ୍ରଚଣ୍ଡଶବ୍ଦ ଶୁଣାଗଲା ଯେଉଁଥିରେ ସହରବାସୀ ବିସ୍ଫୋରଣ ମନେକରି ଭୟଭୀତ ହୋଇପଡିଥିଲେ । ଏହି ଶବ୍ଦରେ ସହରର ବିଭିନ୍ନ କୋଠାବାଡିର ଝରକାକବାଟ ମଧ୍ୟ ଥରି ଉଠିଥିଲା । ପ୍ୟାରିସ୍ ସହରର ଉପକଣ୍ଠ ଅଞ୍ଚଳର ଲୋକେ ଏହି ଶବ୍ଦ ଶୁଣିପାରିଥିଲେ । କିନ୍ତୁ କୌଣସି ଠାରେ ନିଆଁ ବା ଧୂଆଁ ଦେଖିବାକୁ ମିଳିନଥିଲା । ଏହା ପରେ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ସ୍ପଷ୍ଟ କରିଦିଆଯାଇଥିଲା ଯେ ଏହି ଶବ୍ଦ କୌଣସି ବିସ୍ଫୋରଣର ନୁହେଁ ତାହା ଏକ ସାମରିକ ଲଢୁଆ ଜେଟ୍‌ର ସୋନିକ୍ ବୁମ୍ ।

ଏହି ଅବସରରେ ପ୍ୟାରିସ୍ ପୁଲିସ ପକ୍ଷରୁ ଅଫିସିଆଲ ଟୁଇଟର ଆକାଉଣ୍ଟରେ ଟୁଇଟ୍ କରି ଜନସାଧାରଣଙ୍କୁ ନିବେଦନ କରାଯାଇଥିଲା, ସେମାନେ ଜରୁରୀକାଳୀନ ଫୋନ୍‌ଲାଇନ୍‌କୁ ଆଉ ଫୋନ୍ କରନ୍ତୁ ନାହିଁ । ସାମରିକ ଜେଟ୍‌ର ବେଗ ଧ୍ୱନିର ବେଗ ଠାରୁ ଅଧିକ ହେବାରୁ ପ୍ୟାରିସ୍ ଏବଂ ପ୍ୟାରିସ୍ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ବିସ୍ଫୋରଣ ଭଳି ଶବ୍ଦ ଶୁଣାଯାଇଥିଲା । ଉଲ୍ଲେଖଯୋଗ୍ୟ ଗତ ସପ୍ତାହରେ ‘ଚାର୍ଲି ହେବ୍‌ଡୋ’ର ପୁରୁଣା କାର୍ଯ୍ୟାଳୟ ବାହାରେ ଘଟିଥିବା ଛୁରାମାଡ ଘଟଣାରେ ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ ବୁଧବାର ବିସ୍ଫୋରଣ ଭଳି ଶବ୍ଦ ଶୁଣି ସେମାନେ ଆତଙ୍କବାଦୀ ହମ୍‌ଲା ହୋଇଥାଇପାରେ ବୋଲି ଆଶଙ୍କା କରି ଭୟଭୀତ ହୋଇପଡିଥିଲେ ।