ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଲେ ସୁଶାନ୍ତଙ୍କ ପିତା କେକେ ସିଂ

ନୂଆଦିଲ୍ଲୀ: ଦିବଙ୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପିତା କେକେ ସିଂ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଛନ୍ତି। ପାଟଣାର ଅଣେ ମାର୍ଗସ୍ଥିତ ମୁଖ୍ୟମନ୍ତ୍ରୀ ନିବାସରେ ହୋଇଥିବା ଏହି ସାକ୍ଷାତରେ ସୁଶାନ୍ତଙ୍କ ପିତାଙ୍କ ବ୍ୟତୀତ ଭଉଣୀ ଓ ଭିଣେଇ ଉପସ୍ଥିତ ଥିଲେ। ନିର୍ବାଚନ ସମୟରେ ଏହି ସାକ୍ଷାତକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ସୁଶାନ୍ତଙ୍କ ପରିବାର ଏହାକୁ ଶିଷ୍ଟାଚାର ସାକ୍ଷାତ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ପିତା ମୁଖ୍ୟମନ୍ତ୍ରୀଙ୍କ ସହ ପାଖାପାଖି ୪୫ ମିନିଟ୍ ଆଲୋଚନା କରିଥିଲେ। ଏହି ଅବସରରେ ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁ ମାମଲାରେ ଯଥାଶୀଘ୍ର ନ୍ୟାୟ ପ୍ରଦାନ କରିବାକୁ ତାଙ୍କ ପିତା ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସୁଶାନ୍ତ ଭେଟିବାକୁ ଚାହୁଁଥିଲେ ବୋଲି ମଧ୍ୟ ତାଙ୍କ ପିତା କହିଥିଲେ। ସୁଶାନ୍ତଙ୍କ ମାମଲାରେ ମୁମ୍ବାଇ ପୁଲିସ ଅବହେଳା କରିଥିବାବେଳେ ତାଙ୍କୁ ନିଶ୍ଚିତ ରୂପେ ନ୍ୟାୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।