ବାଲେଶ୍ୱର ଚାନ୍ଦିପୁରରୁ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିଶାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର,ଏନ୍ଏନ୍ଏସ୍: ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିଶାଇଲର ଆଜି ସଫଳ ପରୀକ୍ଷଣ ହୋଇଛି। ତେବେ ଏହି ମିଶାଇଲର ରେଞ୍ଜ ୪୦୦ କିଲୋମିଟରରୁ ଅଧିକ। ଡିଆରଡିଓର ସୂତ୍ରରୁ ପ୍ରକାଶ ଯେ ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବାଲେଶ୍ୱରର ଚାନ୍ଦିପୁରରେ ଥିବା ଇଣ୍ଟିଗ୍ରେଟେଡ୍ ଟେଷ୍ଟ ସେଣ୍ଟର(ଆଇଟିଆର)ରୁ ପୂର୍ବାହ୍ଣ ୧୦ଟା ୪୫ରେ ଉତକ୍ଷେପଣ କରାଯାଇଥିଲା। ଜଣେ ଡିଆରଡିଓ ଅଧିକାରୀ କହିଛନ୍ତି ଯେ ପରୀକ୍ଷା ପୂର୍ବରୁ ଏହି ମିଶାଇଲର ମାନକ ଯାଞ୍ଚ କରାଯାଇଥିଲା। ତେବେ ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଛି। ସେ କହିଛନ୍ତି ଯେ ଏହି ମିଶାଇଲ ଦ୍ୱାରା ସମୁଦ୍ର, ସ୍ଥଳ ଏବଂ ଯୁଦ୍ଧ ବିମାନରୁ ମଧ୍ୟ ଲକ୍ଷ ଭେଦ କରିହେବ। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଡିଆରଡିଓ ଚେୟାରମ୍ୟାନ ଏହି ପରୀକ୍ଷଣରେ ସାମିଲ ଥିବା ଟିମକୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ମିଶାଇଲର ସଫଳ ପରୀକ୍ଷଣକୁ ନେଇ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି।

ଏହି କ୍ଷେପଣାସ୍ତ୍ରର ପ୍ରଥମ ସଂସ୍କରଣ ୧୧ ମାର୍ଚ୍ଚ ୨୦୧୭ ରେ ସଫଳତାର ସହିତ ପରୀକ୍ଷଣ କରାଯାଇଥିଲା, ଯାହାର ସୀମା ୪୫୦ କିଲୋମିଟର ଥିଲା। ୩୦ ସେପ୍ଟେମ୍ବର ୨୦୧୯ରେ, ସ୍ୱଳ୍ପ ଦୂରଗାମୀ ଅଗ୍ନି ଶକ୍ତି ବ୍ରହ୍ମୋସ କ୍ଷେପଣାସ୍ତ୍ରର ଗ୍ରାଉଣ୍ଡ ସଂସ୍କରଣ ଚଣ୍ଡିପୁର ଆଇଟିଆରରୁ ସଫଳତାର ସହ ପରୀକ୍ଷଣ କରାଯାଇଥିଲା।

ବ୍ରାହ୍ମୋସ କ୍ଷେପଣାସ୍ତ୍ର ହେଉଛି ଡିଆରଡିଓ ଏବଂ ଋଷିଆର ଅଗ୍ରଣୀ ଏରୋସ୍ପେସ୍ ଉଦ୍ୟୋଗ ଏନପିଓଏମ ଦ୍ୱାରା ମିଳିତ ଭାବରେ ବିକଶିତ ହୋଇଥିବା ଏକ “ମଧ୍ୟମ ରେଞ୍ଜ୍ ରାମଜେଟ୍ ସୁପରସୋନିକ୍ କ୍ରୁଜ୍” କ୍ଷେପଣାସ୍ତ୍ର, ଯାହା ବୁଡ଼ାଜାହାଜ, ଯୁଦ୍ଧ ଜାହାଜ, ଯୁଦ୍ଧବିମାନ ଏବଂ ସ୍ଥଳଭାଗରୁ ଚଳାଯାଇ ପାରିବ। ସୂତ୍ରରୁ ପ୍ରକାଶ ଯେ ଏହି କ୍ଷେପଣାସ୍ତ୍ର ପୂର୍ବରୁ ଭାରତୀୟ ସ୍ଥଳ ସେନା, ନୌସେନା ଏବଂ ବାୟୁସେନାରେ ଅଛି। ଏହା ଦୁନିଆର ଦ୍ରୁତତମ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ଭାବରେ ବିବେଚନା କରାଯାଏ।