ଦୁର୍ଦ୍ଦାନ୍ତ ମାଓବାଦୀକୁ ଗିରଫ କଲା ବିଶାଖାପାଟଣା ପୁଲିସ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲା ଅନ୍ତର୍ଗତ ଜି କେ ଭେଧି ପୁଲିସ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀକୁ ଗିରଫ କରିଛି। ଗିରଫ ମାଓବାଦୀର ନାମ କମଲେସ ଓରଫ ହରି ବୋଲି ଜଣାପଡ଼ିଛି। ଗିରଫ ସମୟରେ ହରି ନିକଟରୁ ଏକେ ୩୦୩ ରାଇଫଲ, ୨୦ ରାଉଣ୍ଡ ଜୀବନ୍ତ ଗୁଳି, ୫୦ କିଲୋଗ୍ରାମ ଜିଲେଟିନ ଜବତ କରାଯାଇଛି। ସେ ଗତ ୧୪ ବର୍ଷ ଧରି ମାଓ ସଂଗଠନରେ କାର୍ଯ୍ୟ କରିଥିଲା।

ହରି ନାମରେ ଆନ୍ଧ୍ରର ପୂର୍ବ ଗୋଦାବରୀ, ବିଶାଖାପାଟଣା ଓ ଓଡ଼ିଶାର ବିଭିନ୍ନ ଥାନାରେ ୧୦୦ରୁ ଉର୍ଦ୍ଧ ମାମଲା ଥିବା ଜଣାପଡ଼ିଛି। ଗିରଫ ମାଓବାଦୀ ନାମରେ ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଡିଆଇଜି ଏଲକେଭି ରାଙ୍ଗାରାଓଙ୍କ ତତ୍ତ୍ୱାବଧାନରେ ବିଶାଖାପାଟଣା ଏସପି ବି କ୍ରିଷ୍ଣା ରାଓଙ୍କ ନେତୃତ୍ୱରେ ଜି କେ ଭେଧି ହରିଙ୍କୁ ଗିରଫ କରିବାରେ ସଫଳ ହୋଇଛି।