ନୂଆଦିଲ୍ଲୀ,ଏଜେନ୍ସି : ସାରା ବିଶ୍ୱକୁ କୋଭିଡ୍-୧୯ ବ୍ୟାପିବା ସତ୍ତ୍ୱେ ନଭେମ୍ବର ୨୧ ଓ ୨୨ ଦୁଇଦିନ ଧରି ସାଉଦି ଆରବ ରାଜା ସଲମାନ ବିନ୍ ଅବଦୁଲାଜିଜ ଅଲ୍-ସୌଦଙ୍କ ଅଧ୍ୟକ୍ଷତାରେ ଜି-୨୦ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ବୈଠକରେ ଯୋଗଦେବେ। ସେପ୍ଟେମ୍ବର ୯ ତାରିଖରେ ସାଉଦି ରାଜା ସଲମାନ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜି-୨୦ ଶିଖର ସମ୍ମିଳନୀ ପ୍ରସଙ୍ଗରେ ଆଲୋଚନା କରି ଏଜେଣ୍ଡା ପ୍ରସ୍ତୁତ କରିଥିଲେ। କୋଭିଡ୍-୧୯ ସଙ୍କଟକୁ ଦୃଷ୍ଟିରେ ରଖି ଏକାଧିକ ବିଶ୍ୱସ୍ତରୀୟ ଆଲୋଚନା ବାତିଲ୍ କରାଯାଇଥିଲେ ମଧ୍ୟ ଜି-୨୦ ସମ୍ମିଳନୀ ଘୁଞ୍ଚାଇବା ପାଇଁ ସଭ୍ୟଦେଶଗୁଡ଼ିକ ରାଜି ହୋଇନଥିଲେ।
ସେହିପରି ମିଳିତ ଜାତିସଂଘର ୭୫ ବର୍ଷର ଇତିହାସ ଭିତରେ ପ୍ରଥମ ଥର ପାଇ ଭର୍ଚୁଆଲ୍ ବୈଠକର ଆୟୋଜନ କରାଯାଇଥିଲା। ଏକବିଂଶ ଶତାବ୍ଦୀରେ ସମସ୍ତଙ୍କୁ ଉପଯୁକ୍ତ ସୁବିଧା ମିଳିବା ଦରକାର ବୋଲି ଜି-୨୦ ନେତାମାନେ ଅନୁଭବ କରିଛନ୍ତି। ସମସ୍ତେ ମିଶି କୋଭିଡ୍-୧୯ ମହାମାରୀ ସହିତ ମୁକାବିଲା କରିବା ପାଇଁ ୨୧ ବିଲିୟନ୍ ଡଲାର ପରିମାଣର ପାଣ୍ଠି ଗଠନ କରାଯାଇଛି। ଚଳିତ ଜି-୨୦ ଶିଖର ସମ୍ମିଳନୀରେ ଲୋକଙ୍କ ଜୀବନ ରକ୍ଷା ଓ ବିକାଶମୂଳକ କାର୍ଯ୍ୟକୁ ସମାନ ଗୁରୁତ୍ୱ ଦିଆଯାଉଛି। ଏକବିଂଶ ଶତାବ୍ଦୀରେ ପ୍ରତ୍ୟେକ ଲୋକଙ୍କ ସାମାଜିକ ନିରାପତ୍ତା ଓ ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ ପୃଥିବୀକୁ ସୁରକ୍ଷିତ ରଖିବା ଜି-୨୦ ସଭ୍ୟମାନଙ୍କ ପାଇଁ ପ୍ରଧାନ କାର୍ଯ୍ୟ। ତେଣୁ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାକୁ ସୁଧାରିବା ପାଇଁ ୧୧ ଟ୍ରିଲିୟନ୍ ଡଲାର ପରିମାଣର ଜରୁରିକାଳୀନ ପାଣ୍ଠି ଗଠନ କରିବାକୁ ନିଷ୍ପତ୍ତି ନିଆଯିବାର ଅଛି । ଉଲ୍ଲେଖଯୋଗ୍ୟ, ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଭିତରେ ସବୁ ରାଷ୍ଟ୍ରଗୁଡ଼ିକ ଗତି କରୁଥିବା ବେଳେ ଜି-୨୦ ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ୨୦୨୨ରେ ଭାରତ ଜି-୨୦ ଶୀର୍ଷ ବୈଠକର ଅଧ୍ୟକ୍ଷତା କରିବ।