ଖଇରା,ଏନ୍ଏନ୍ଏସ୍: ଖଇରା ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ରୁଢିଙ୍ଗିଆ ଗ୍ରାମର ଜଣେ ଗର୍ଭବତୀ ପ୍ରେମିକାକୁ ପ୍ରିୟଦର୍ଶିନୀ ମହିଳା ସମିତିର ସଦସ୍ୟାମାନେ ଉକ୍ତ ଗ୍ରାମର ପ୍ରେମିକ ଘରେ ଛାଡିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ରୁଢିଙ୍ଗିଆ ଗ୍ରାମର ହେମନ୍ତ କୁମାର ନାୟକଙ୍କ ପୁଅ ମିହିର କୁମାର ନାୟକ(୨୩) ଓ ସେହି ଗ୍ରାମର ଶମ୍ଭୁନାଥ ନାୟକଙ୍କ ଝିଅ ନନ୍ଦିନୀ ନାୟକ(୨୨)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ନନ୍ଦିନୀ ୭ ମାସର ଗର୍ଭବତୀ ଥିବା ନେଇ ପରିବାର ଲୋକେ ଜାଣିବାକୁ ପାଇଥିଲେ। ପରିବାର ଲୋକେ ନନ୍ଦିନୀଙ୍କୁ ପଚରାଉଚୁରା କରିବାରୁ ସେହି ଗ୍ରାମର ମିହିରଙ୍କ ସହିତ ସମ୍ପର୍କ ଥିବା ନନ୍ଦିନୀ ସ୍ୱୀକାର କରିଥିଲେ।
ଏ ଘଟଣା ବିଷୟରେ ପରିବାର ଲୋକେ ମିହିରଙ୍କ ପରିବାରକୁ ଜଣାଇଥିଲେ। ହେଲେ ଏହି ଘଟଣା ମିଛ ବୋଲି ମିହିର ପ୍ରକାଶ କରିଥିଲେ। ନନ୍ଦିନୀଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସେ ଏନେଇ ଆଇନର ଆଶ୍ରୟ ନନେଇ ଗ୍ରାମର ଭଦ୍ର ବ୍ୟକ୍ତିଙ୍କୁ ଜଣାଇଥିଲେ। ଗ୍ରାମର କିଛି ଭଦ୍ର ବ୍ୟକ୍ତି ଏବଂ ଦୁଇ ପରିବାରଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ଉକ୍ତ ବୈଠକରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବା ମିହିର ସ୍ୱୀକାର କରିଥିଲା। ଉପସ୍ଥିତ ଭଦ୍ର ବ୍ୟକ୍ତିମାନେ ଉଭୟଙ୍କ ମଧ୍ୟରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ମିହିର ବିବାହ କରିବାକୁ ମନା କରିବା ସହିତ ଘରୁ କେଉଁଆଡେ ଫେରାର ହୋଇଯାଇଥିଲେ।
ଗ୍ରାମର ଭଦ୍ର ବ୍ୟକ୍ତିଙ୍କ ଦ୍ୱାରା ଏହାର ସମାଧାନ ନହେବାରୁ ନନ୍ଦିନୀର ପରିବାର ସ୍ଥାନୀୟ ପ୍ରିୟଦର୍ଶନୀ ମହିଳା ସଂଘର ସଦସ୍ୟାଙ୍କୁ ଅବଗତ କରାଇଥିଲେ। ମହିଳା ସଂଘର ସଭାପତି ଶିବାନୀ ମହାନ୍ତି, ସମ୍ପାଦକ ବିନୋତୀ ମାହାନାଙ୍କ ସମେତ ସଂଘର ସଦସ୍ୟା ଲକ୍ଷ୍ମୀପ୍ରିୟା ମହାନ୍ତି, ସୁଲୋଚନା ରାଉଳ, ସାବିତ୍ରୀ ରାଉଳ, ସୀତା ମାରାଣ୍ଡି ପ୍ରମୁଖ ଆଜି ଉକ୍ତ ଗ୍ରାମରେ ପହଞ୍ଚି ଉଭୟ ପରିବାରଙ୍କ ସହିତ ଆଲୋଚନା କରି ନନ୍ଦିନୀକୁ ସାଙ୍ଗରେ ନେଇ ମିହିରଙ୍କ ଘରେ ଛାଡିଥିଲେ। ମିହୀରଙ୍କ ବାପା ଶମ୍ଭୁନାଥ ନନ୍ଦୀନୀଙ୍କୁ ବୋହୂ ଭାବେ ଗ୍ରହଣ କରିବା ସହିତ ପୁଅ ମିହିରକୁ ଖୋଜି କୋର୍ଟ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ସଂଘର ସଦସ୍ୟାମାନେ ଉଭୟ ପରିବାର ମଧ୍ୟରେ ଏକ ଲିଖିତ ସମାଧାନ କରିଥିଲେ।