ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ପୌରପରିଷଦ କାର୍ଯ୍ୟାଳୟ ତରଫରୁ ବଣ୍ଟନ କରାଯାଉଥିବା ବିଭିନ୍ନ ଭତ୍ତାରେ ଅନିୟମିତତା ହେଉଥିବା ଅଭିଯୋଗ ଆସିବା ପରେ ଦୁର୍ନୀତି ନିବାରଣ ବିଭାଗ ତରଫରୁ ପୌରପରିଷଦ କାର୍ଯ୍ୟାଳୟରେ ଯାଞ୍ଚ ଆରମ୍ଭ ହୋଇଛି। ପୌରପରିଷଦ କାର୍ଯ୍ୟାଳୟ ତରଫରୁ ମଧୁବାବୁ ପେନସନ ଯୋଜନାରେ ୪ ହଜାର ୮୫୬, ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ୬୭୫, ଇନ୍ଦିରା ଗାନ୍ଧୀ ବିଧବା ଭତ୍ତା ଯୋଜନାରେ ୧ ହଜାର ୨୬୫ ଏବଂ ଇନ୍ଦିରା ଗାନ୍ଧୀ ଦିବ୍ୟାଙ୍ଗ ଭତ୍ତା ଯୋଜନାରେ ୩୯୩ ଜଣ ଏପରି ମୋଟ ୭ ହଜାର ୧୮୯ ଜଣଙ୍କୁ ମାସିକ ଭତ୍ତା ବଣ୍ଟନ କରାଯାଉଛି। ତେବେ ସର୍ବନିମ୍ନ ଭତ୍ତା ୫୦୦ ଟଙ୍କା ଥିବାବେଳେ ୮୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ୭୦୦ ଟଙ୍କା ବଣ୍ଟନ ପାଇଁ ନିର୍ଦ୍ଦେଶ ରହିଛି। ଏଥି ନିମନ୍ତେ ପୌରପରିଷଦ ରାଜକୋଷରୁ ମାସିକ ୪୧ ଲକ୍ଷ ୧୨ ହଜାର ୧୬୬ ଟଙ୍କା ବ୍ୟୟବରାଦ ହୋଇଥାଏ।
୨୦୨୦-୨୧ ଆର୍ଥିକ ବର୍ଷ ଅପେକ୍ଷା ୨୦୧୭-୧୮ ଏବଂ ୨୦୧୮-୧୯ ବର୍ଷରେ ଅଧିକ ଭତ୍ତା ଟଙ୍କା ବଣ୍ଟନ ହୋଇଥିବା ଅଭିଯୋଗ ଆସିବା ପରେ ରାୟଗଡ଼ା ଦୁର୍ନୀତି ନିବାରଣ ବିଭାଗର ଉପ-ଆରକ୍ଷୀ ଅଧୀକ୍ଷକ ଅନନ୍ତଚରଣ ମଲ୍ଲିକ ପୌରପରିଷଦ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ୩ ବର୍ଷର ଭତ୍ତା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିଛନ୍ତି ଶ୍ରୀ ମଲ୍ଲିକ। ଏହାର ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି।