ବଲାଙ୍ଗିର,ଏନ୍ଏନ୍ଏସ୍: ଆଦିବାସୀ ମହିଳାଙ୍କ ଘରକୁ ପଶି ମରଣାନ୍ତକ ଆକ୍ରମଣ ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗରିଫ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କଠାରେ ପୀଡ଼ିତା ଦାବି କରିଛନ୍ତି। ପୀଡ଼ିତାଙ୍କ ଦ୍ୱାରା ଏସପିଙ୍କୁ ଦିଆଯାଇଥିବା ନିବେଦନ ପତ୍ର ଅନୁସାରେ ସଦର ଥାନା ଅଧୀନସ୍ଥ ହର୍ଟାଟାଲ ଗ୍ରାମର ଆଦିବାସୀ ମହିଳା ଶ୍ରୀମତୀ ଅମ୍ବିକା ମଲିକଙ୍କ ଘରକୁ ଉକ୍ତ ଗ୍ରାମର ତରଣୀ ଘିଭେଲା, ଚିତ୍ରସେନ ଘିଭେଲା, ବୁଠି ଘିଭେଲା, ସେବତୀ ଘିଭେଲା, ସୁରୁବାଲି ବେହେରା, ପୀର ଘିଭେଲା, ବିଲାସିନୀ ଘିଭେଲା, ସୁଶିଳା ସେଲମା ଜବରଦସ୍ତ ପଶି ତାଙ୍କୁ ନିର୍ମମ ଭାବରେ ମାଡ଼ ମାରିବା ସହ ବାଡ଼ିରେ ପିଟିଥିଲେ। ଏଥିସହିତ ଘରର ଆସବାବ ପତ୍ର ଭଙ୍ଗା ରୁଜା କରିଥିଲେ। ଏପିରିକି ତାଙ୍କ ନାବାଳିକା ଝିଅ ଯଶୋବନ୍ତୀ ଏବଂ ଯମୁନା ଠାରୁ ମୋବାଇଲ୍ ଛଡ଼ାଇ ନେବା ସହ ଝିଅ ଯଶୋବନ୍ତୀଙ୍କୁ ମାଡ଼ ମାରି ସୁନା ଚେନ୍ ଛଡ଼ାଇ ନେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ହୋଇଛି।
ଜାତିଗତ ଆକ୍ଷେପ କରିବା ସହ ନାନା ପ୍ରକାର ଧମକ ଚମକ ଦେଇଥିଲେ। ତେବେ ଏହି ଘଟଣା ସଂପର୍କରେ ପୀଡ଼ିତା ଅମ୍ବିକା ଗତ ୨୫ ତାରିଖ ଦିନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବିଷୟ ଏସପିଙ୍କୁ ଜଣାଇଛନ୍ତି ଅମ୍ବିକା। ସଂପୃକ୍ତ ଅପରାଧରେ ସାମିଲ୍ ଥିବା ଦୋଷୀମାନଙ୍କୁ ଗିରଫ୍ କରାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଥାନା ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ପଦକ୍ଷେପ ନିଆଯାଉ ବୋଲି ସେ ଦାବି କରିଛନ୍ତି। ଏସପିଙ୍କୁ ଦିଆଯାଇଥିବା ଅନୁରୋଧ ପତ୍ରର ଏକ ନକଲ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମହିଳା କମିଶନ ତଥା ଜାତୀୟ ଆଦିବାସୀ ଆୟୁକ୍ତଙ୍କୁ ମଧ୍ୟ ଦିଆଯାଇଥିବା ଦର୍ଶାଯାଇଛି। ଏସପିଙ୍କୁ ଭେଟିବାକୁ ଯାଇଥିବା ସମୟରେ ତାଙ୍କ ସହ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ଉପସଭାପତି ଶ୍ରୀମତୀ ବନଲତା ମାଝୀ, ବ୍ଲକ ଉପସଭାପତି ଅଚ୍ୟୁତ ଧରୁଆ, ମହାଦେବ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିବା ସୂଚନା ମିଳିଛି।