ପର୍ସ ସହ ହଜି ଯାଇଥିବା ୨୦ ହଜାର ଟଙ୍କା ଯୁବକଙ୍କୁ ଫେରାଇଲେ ଟ୍ରାଫିକ ପୁଲିସ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଏବେ ବି ବଞ୍ଚିଛି ମାନବିକତା। ଆଜିକା ସ୍ୱାର୍ଥପର ଦୁନିଆରେ ଅନେକ ଲୋକ ବିଭିନ୍ନ ପ୍ରକାରର ଷଡ଼ଯନ୍ତ୍ର କରି ଲୋକଙ୍କ ଟଙ୍କା ହଡ଼ପ କରୁଥିବାବେଳେ ଆଜି ଏକ ଟ୍ରାଫିକ ପୁଲିସ ରାସ୍ତାରୁ ପର୍ସ ସହିତ ମିଳିଥିବା ୨୦ ହଜାର ଟଙ୍କାକୁ ସଠିକ ମାଲିକଙ୍କୁ ଫେରାଇ ଉଦାହରଣ ସୃଷ୍ଟି କରିଛନ୍ତି। ଉକ୍ତ ଟ୍ରାଫିକ ପୁଲିସ ଜଣଙ୍କ ଝାରସୁଗୁଡ଼ାର ଟ୍ରାଫିକ ହାବିଲଦାର ପ୍ରମୋଦ ନନ୍ଦ।

ଆଜି ସକାଳେ କକ୍ସ କଲୋନିର ଅହମ୍ମଦ ଅଂସାରୀ(୨୫) ବାଇକରେ ଯାଉଥିବାବେଳେ ବମ୍ବେ ଛକରେ ତାଙ୍କ ପର୍ସ ଅଜାଣତରେ ଗଳି ପଡିଥିଲା। ରାସ୍ତାରେ ପଡିଥିବା ପର୍ସକୁ ଜଣେ ମହିଳା ପାଇ ସେଠାରେ କାର୍ଯ୍ୟରତ ଥିବା ଟ୍ରଫିକ ହାବିଲଦାର ପ୍ରମୋଦଙ୍କୁ ଦେଇଥିଲେ। ପ୍ରମୋଦ ପର୍ସ ଖୋଲି ଦେଖିଲା ବେଳକୁ ସେଥିରେ ୨୦ ହଜାର ଟଙ୍କା ଏବଂ ଅହମ୍ମଦଙ୍କ ଆଧାର କାର୍ଡ, ଭୋଟର କାର୍ଡ, ଏଟିଏମ କାର୍ଡ ଆଦି ବିଭିନ୍ନ ଜରୁରୀ କାଗଜପତ୍ର ଥିଲା। ତେବେ ଟ୍ରାଫିକ ପୁଲିସ ଜଣଙ୍କ ଅଧାରକାର୍ଡରୁ ଅହମ୍ମଦଙ୍କ ଠିକଣା ପାଇ ତାଙ୍କୁ ଯୋଗାଯୋଗ କରି ପର୍ସ, ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ଫେରାଇଥିଲେ।