ଚିକିତ୍ସା ଅବହେଳାରୁ ନାବାଳକ ମୃତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ଭୟରେ ଏବେ ଅନେକ ଡାକ୍ତରଖାନାରେ ରୋଗୀଙ୍କୁ ଭର୍ତ୍ତି କରାଯାଉ ନାହିଁ। ଫଳରେ ଦରକାର ସମୟରେ ପ୍ରାଥମିକ ଚିକିତ୍ସା ନପାଇ ରୋଗୀ ପ୍ରାଣ ହରାଉଛନ୍ତି। ଏପରି ଏକ ଦୃଶ୍ୟ ଶୁକ୍ରବାର ସକାଳେ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ସହରରେ ଦେଖିବାକୁ ମିଳିଛି। ଚିକିତ୍ସା ଅବହେଳାରୁ ଉଲାପ ଗ୍ରାମର ଜଗୁ ଲୁହାରଙ୍କ ପୁଅ ବାସୁଦେବ ଲୁହାର(୧୧) ପ୍ରାଣ ହରାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମିଳିଥିବା ରିପୋର୍ଟ ମୁତାବକ, ଶୁକ୍ରବାର ଭୋରରେ ବାସୁଦେବଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ବେଲପାହାଡ଼କୁ ଚିକିତ୍ସା ପାଇଁ ଆଣିଥିଲେ। ପରିବାର ଲୋକେ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନକୁ ଘୁରି ବୁଲିଥିଲେ ହେଁ ବେଲପାହାଡ଼ ଓ ଗୁମାଡ଼େରାର କୌଣସି ଡାକ୍ତରଖାନା ବାସୁଦେବଙ୍କୁ ଭର୍ତ୍ତି କରିନଥିଲେ। ଶେଷରେ ତାଙ୍କ ପରିବାର ଲୋକେ ବାସୁଦେବଙ୍କୁ ଗୁମାଡ଼େରାସ୍ଥିତ ଏକ ଔଷଧ ଦୋକାନ ବାହାରେ ନିସହାୟ ଅବସ୍ଥାରେ କାଖେଇ ଧରି ବସି ରହିଥିଲେ। ଚିକିତ୍ସା କେଉଁଠାରେ କରାଇବେ ଭାବି ଭାବି ପରିବାର ଲୋକେ କାନ୍ଦୁଥିବାବେଳେ ସ୍ଥାନୀୟ କିଛି ଲୋକ ପୌରପରିଷଦ ଆମ୍ବୁଲାନ୍ସରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ହେଲେ ଡାକ୍ତର ସେଠାରେ ବାସୁଦେବଙ୍କୁ ମୃତ ଘୋଷଣା କରିଥିଲେ।