ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ କୋରନା ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ୧୫ ଦିନ ପାଇଁ ରାସ୍ତକଡ଼ରେ ଖାଦ୍ୟ ସାମଗ୍ରୀ ବିକ୍ରୟ ଉପରେ ରୋକ ଲଗାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଧ୍ୟାଦେଶ ଜାରି କରାଯାଇ ରାସ୍ତା କଡ଼ରେ ଥିବା ସମସ୍ତ ଖାଇବା ଷ୍ଟଲ ଯଥା ଫାଷ୍ଟଫୁଡ, ଗୁପଚୁପ, ବେକେରୀ ତଥା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦୋକାନ ନ ଖୋଲିବା ପାଇଁ ନିର୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶକୁ ପାଳନ କରି ଦୋକାନ ବନ୍ଦ ରଖି କ୍ଷତି ସହିଥିବା ଦୋକାନୀଙ୍କୁ ୧୫ ଦିନ ପରେ ସିଏସଆର ଫଣ୍ଡରୁ ୨୫ ଶହ ଟଙ୍କା ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଛି। ଆଉ ଏହି ନିୟମ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି।
ସେହିପରି ଶନିବାରଠୁ ଝାରସୁଗୁଡାର ସମସ୍ତ ଦୋକାନ ବଜାର ୭ଦିନ ପାଇଁ ବନ୍ଦ କରିବାକୁ ଜିଲ୍ଲା ବଣିକ ସଂଘ ନିଷ୍ପତ୍ତି ନେଇଛନ୍ତି। ଏହି ବନ୍ଦ ସମୟରେ କେବଳ ପନିପରିବା, ଗ୍ରୋସେରୀ ଓ ମାଛମାଂସ ଦୋକାନ ସକାଳ ୭ରୁ ୧୨ଟା ଯାଏଁ ଖୋଲା ରହିବ ଆଉ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ବୋଲି ଜିଲ୍ଲା ବଣିକ ସଂଘର ସଭାପତି ହୀରାଲାଲ ଲୋକ ଚନ୍ଦାନୀ କହିଛନ୍ତି। ବଣିକ ସଂଘର ୪ଜଣ ସଦସ୍ୟ ଗତ ୮ ଦିନରେ ପ୍ରାଣ ହରାଇଥିବାରୁ ସଂଘ ପକ୍ଷରୁ ସମସ୍ତ ଦୋକାନ ବଜାର ବନ୍ଦ କରି କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ପ୍ରୟାସ କରାଯିବ ବୋଲି ଶ୍ରୀ ଲୋକ ଚନ୍ଦାନୀ କହିଛନ୍ତି।