କୋରାପୁଟ,ଏନ୍ଏନ୍୍ଏସ୍: ଜୟପୁର ଟାଉନ୍ ଥାନା ଅନ୍ତର୍ଗତ ରାଜୁସାହିସ୍ଥିତ ଏକ କୋଚିଂ ସେଣ୍ଟରରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ଶିକ୍ଷକକୁ ଗିରଫ କରିଛି। ଜୟପୁର ଟାଉନ ଥାନା ଅଧିକାରୀ ବାଲେଶ୍ୱର ଗିଦ୍ଧିଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ଜୟପୁର ରାଜୁସାହିସ୍ଥିତ ଶାରଦା କୋଚିଂ ସେଣ୍ଟରରେ ଅନଲାଇନ୍ କ୍ଲାସ୍ ସହ ୧୯ରୁ ୨୨ ତାରିଖ ଯାଏ ପରୀକ୍ଷା ଚାଲିଥିଲା। ୨୨ରେ ଅନଲାଇନ ପରୀକ୍ଷା ଶେଷ ହେବା ପରେ ସେହି ଦିନ ସଂନ୍ଧ୍ୟାରେ ସମ୍ପୃକ୍ତ ଛାତ୍ରୀ କୋଚିଂ ସେଣ୍ଟରକୁ ପରୀକ୍ଷା ଖାତା ହସ୍ତାନ୍ତର ପାଇଁ ଯାଇଥିଲେ। ଛାତ୍ରୀ ଜଣକ ଏକୁଟିଆ ଥିବାର ସୁଯୋଗ ନେଇ କୋଚିଂ ସେଣ୍ଟରର ଶିକ୍ଷକ ଅକ୍ଷୟ କୁମାର ପଣ୍ଡା ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲେ। କୌଣସି ପ୍ରକାରେ ଛାତ୍ରୀ ଜଣକ ସେଠାରୁ ଖସି ଆସି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଗୁରୁବାର ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକ ଅକ୍ଷୟ କୁମାର ପଣ୍ଡାଙ୍କୁ ଗିରଫ କରିଛି। ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।