ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା କୃଷକ ସଂଘ ପକ୍ଷରୁ ସଂସଦରେ ଗୃହୀତ ହୋଇଥିବା ନୂତନ କୃଷି ବିଧେୟକକୁ ବିରୋଧ କରାଯାଇଛି। ଶୁକ୍ରବାର ସକାଳେ ଜିଲ୍ଲାର କୃଷକମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଏହି ବିଲକୁ ପ୍ରତ୍ୟାହାର କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି କୃଷି ବିଧେୟକଟି ଆଇନରେ ପରିଣତ ହେଲା ପରେ କୃଷକମାନଙ୍କର ସ୍ୱାର୍ଥର ବିରୁଦ୍ଧାଚରଣ ହେବ ବୋଲି କୃଷକ ସଂଘ ପକ୍ଷରୁ କୁହାଯାଇଛି । ଏହି କୃଷି ବିଲ୍ ଅନୁସାରେ ଆବଶ୍ୟକ ସାମଗ୍ରୀ ଆଇନ ୧୯୫୫କୁ ସଂଶୋଧନ କରାଯାଇ ଚାଉଳ, ଗହମ, ସମସ୍ତ ପ୍ରକାର ଡାଲି, ତୈଳବୀଜ, ଆଳୁ, ପିଆଜ ସହ ୬୦ ପ୍ରକାର ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ତାଲିକାରୁ ବାଦ ଦିଆଯାଉଛି। ଫଳରେ ଏହି ସାମଗ୍ରୀଗୁଡ଼ିକୁ ମୁନାଫାଖୋର ବ୍ୟବସାୟୀ କଳାବଜାରୀ କରି ନିଜ ଗୋଦାମରେ ଗଚ୍ଛିତ କରି ଅଧିକ ଦରରେ ବିକ୍ରି କରିବେ। ସେହିପରି ଏଗ୍ରିକଲଚର ପ୍ରଡିଉସ ମାର୍କେଟ କମିଟି(ଏପିଏମସି)କୁ ଭାଙ୍ଗିଦେଇ କର୍ପୋରେଟମାନଙ୍କୁ କୃଷି ବଜାରରେ ଅନୁମତି ପ୍ରଦାନ କରାଯାଇଛି। ଏହି ବିଲ୍ ଆଇନରେ ପରିଣତ ହେଲେ କର୍ପୋରେଟ ସଂସ୍ଥା କୃଷି କ୍ଷେତ୍ରରେ ଅବାଧ ପ୍ରବେଶ ମିଳିବ। ଫଳରେ ଦେଶରେ ୮୬ ପ୍ରତିଶତ ଓ ରାଜ୍ୟରେ ୯୨ ଚାଷୀ ବହୁଳ ଭାବରେ କ୍ଷତିଗ୍ରସ୍ତ ହେବେ। ତେଣୁ ସରକାର ଏହି କୃଷି ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି ଜିଲ୍ଲାର କୃଷକମାନେ ଦାବି କରିଛନ୍ତି। ଏହି ସମୟରେ ଚାଷୀ ସୁରନ୍ଦ୍ରେ ସାହୁ, ରମାକାନ୍ତ ସାହୁ, ଗୋପିନାଥ ମାଝୀ, ପ୍ରଶାନ୍ତ ତ୍ରିପାଠୀ, ବେଦବ୍ୟାସ ସାହୁ ଓ ବିଜୟ କୁମାର ଝା ପ୍ରମୁଖଙ୍କ ସହ ଜିଲ୍ଲାର ଅନ୍ୟାନ୍ୟ ଚାଷୀମାନେ ଉପସ୍ଥିତ ଥିଲେ।