ମାଲକାନଗିରି,କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣାର ଏକ ନଗ୍ନ ନମୁନା ସାମ୍ନାକୁ ଆସିଛି। ଗ୍ରାମକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ବଦଳରେ ଗର୍ଭବତୀଙ୍କୁ ଭାରରେ ବୁହାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନିଳାକାମ୍ବେରୁ ପଞ୍ଚାୟତର ପାଡ଼ାଲପୁଟ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ଧନ ମୁଦୁଲିଙ୍କ ସ୍ତ୍ରୀ ଦେବକୀ ମୁଦୁଲି(୨୭) ଆଜି ସକାଳେ ପ୍ରସବକାଳୀନ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରେ ପରିବାରବର୍ଗ ତୁରନ୍ତ ଗ୍ରାମବାସୀଙ୍କ ସହାୟତାରେ ପାହାଡ଼, ଜଙ୍ଗଲିଆ ଓ ପଥୁରିଆ ରାସ୍ତାରେ ଭାର କରି ବୋହି ଆଣୁଥିଲେ। ତେବେ ପ୍ରାୟ ୬ କିମି ଚାଲି ଚାଲି ଯିବା ସମୟରେ ରାସ୍ତାରେ ହିଁ ଦେବକୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ପରେ ଖବର ପାଇ ଆଶା କର୍ମୀ ଓ ୧୦୮ ଆମ୍ବୁଲାନ୍ସ ପାହାଡ଼ ତଳେ ଅପେକ୍ଷା କରିଥିଲେ। ସେଠାରେ ପହଞ୍ଚିବା ପରେ ଆମ୍ବୁଲାନ୍ସ ଯୋଗେ ଉଭୟ ନବଜାତ ଓ ମା’ଙ୍କୁ ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ତେବେ ଗ୍ରାମକୁ ଯିବାକୁ ଏକ ପକ୍କା ରାସ୍ତା ନଥିବାରୁ ବାରମ୍ବାର ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବାବେଳେ କୌଣସି କାର୍ଯ୍ୟରେ ପଞ୍ଚାୟତ କିମ୍ବା ବ୍ଲକକୁ ଯିବାକୁ ହେଲେ ମଧ୍ୟ ଏହି ପଥୁରିଆ ରାସ୍ତାରେ ଯିବାକୁ ପଡ଼ୁଛି। ସେଥିପାଇଁ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।