ଜାତୀୟ ରାଜପଥ କଡ଼ରେ ଜଳିଗଲା ଗଞ୍ଜେଇ ବୋଝେଇ କାର

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଏମଭି-୧୬ ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ୩୨୬ କଡ଼ରେ ଆଜି ଏକ ଗଞ୍ଜେଇ ବୋଝେଇ କାର ଜଳି ଯାଇଛି। କାରଟି ମାଲକାନଗିରିରୁ କାଲିମେଳା ସହର ଆଡ଼କୁ ଯାଉଥିବାବେଳେ ହଠାତ କାର ଚାଳକ ବାହାରକୁ ବାହାରିବା କ୍ଷଣି ନିଆଁ ଲାଗିଯାଇଥିଲା। ଗ୍ରାମବାସୀମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପରେ ଅଗ୍ନିଶମ କର୍ମଚାରୀମାନେ ଯାଞ୍ଚ କରିବାବେଳେ କାରରେ ବହୁ ମାତ୍ରାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡ଼ିଥିଲା।

ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ଏହି କାରର ପ୍ରତ୍ୟେକ ଫାଙ୍କା ସ୍ଥାନରେ ଗଞ୍ଜେଇ ରଖାଯାଇଥିଲା। ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ହେଉଥିବା ଗାଡ଼ି ଗୁଡ଼ିକରେ ଏହାକୁ ରଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ। ହେଲେ କେବେ କୌଣସି ଗାଡ଼ିର ଇଞ୍ଜିନରେ ଏପରି ଗଞ୍ଜେଇ ରଖାଯାଇନଥିବା ବେଳେ ଏହି କାରର ଆଗପଟ ଇଞ୍ଜିନର ଫାଙ୍କା ସ୍ଥାନଗୁଡ଼ିକରେ ମଧ୍ୟ ଗଞ୍ଜେଇ ପ୍ୟାକିଙ୍ଗ କରି ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି। ତେବେ ଗଞ୍ଜେଇକୁ ଇଞ୍ଜିନରେ ରଖାଯାଇଥିବାରୁ ଇଞ୍ଜିନ ଗରମ ହୋଇ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି। ତେବେ କିଭଳି କାରରେ ନିଆଁ ଲାଗିଲା ସେନେଇ ଅଗ୍ନିଶମ ବିଭାଗ ତଦନ୍ତ କରୁଥିବାବେଳେ ମାଲକାନଗିରି ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଠାବ କରି କାବୁ କରିବା ପାଇଁ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ମାଲକାନଗିରି ଜିଲ୍ଲାର ଜୟଦେବ ନମୋଙ୍କ ନାମରେ କାରଟି ଥିବା ଜଣାପଡ଼ିଛି। ପୁଲିସ ପକ୍ଷରୁ ଗାଡ଼ି ମାଲିକଙ୍କୁ ପଚରାଉଚରା କରିବା ପରେ ହିଁ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ଆଶା କରାଯାଉଛି।