ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଏକ କୋଲ ବିଅରିଙ୍ଗ ଆକ୍ଟ ଟ୍ରିବ୍ୟୁନାଲ ଗଠନ ପାଇଁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଲୋକସଭାରେ ଦାବି ଉପସ୍ଥାପନ କରିଛନ୍ତି। ବାଚସ୍ପତିଙ୍କ ଅନୁମତି କ୍ରମେ ଶ୍ରୀ ପୂଜାରୀ ଓଡିଆରେ ଭାଷଣ ଦେଇ ଝାରସୁଗୁଡାରେ କୋଲ ବିଅରିଙ୍ଗ ଆକ୍ଟ ଟ୍ରିବ୍ୟୁନାଲର ଗଠନର ଆବଶ୍ୟକତା ଉପରେ ଅବଗତ କରାଇଛନ୍ତି। ସେ କହିଛନ୍ତି ଝାରସୁଗୁଡ଼ା ଜିଲ୍ଲାରେ ୧୯୮୦ ମସିହାରୁ କୋଇଲା ଖନନ କାର୍ଯ୍ୟ ଚାଲୁଛି।
ଦେଶର ସବୁଠୁ ବଡ଼ କୋଇଲା କମ୍ପାନୀ ଏଠାରେ କାର୍ଯ୍ୟ କରୁଛି। ଏଠାରେ ଭୂମି ଅଧିଗ୍ରହଣ ଆଇନ ଓ କୋଲ ବିଅରିଙ୍ଗ ଆକ୍ଟ ଅନୁସାରେ କୋଇଲା ଖନନ କାର୍ଯ୍ୟ ହେଉଛି। ଫଳରେ ଏହା ଦ୍ୱାରା କ୍ଷତିଗ୍ରସ୍ତ ତଥା ପ୍ରଭାବିତ ଲୋକଙ୍କ ମାମଲା କୋଲ ବିଅରିଙ୍ଗ ଆକ୍ଟ ଟ୍ରିବ୍ୟୁନାଲ ପକ୍ଷରୁ ଶୁଣାଣି କରାଯାଏ। ହେଲେ ଏହି ଟ୍ରିବ୍ୟୁନାଲ ବର୍ତ୍ତମାନ ଢେଙ୍କାନାଳରେ ଥିବାରୁ ଝାରସୁଗୁଡ଼ାବାସୀ ଶୁଣାଣି ପାଇଁ ପ୍ରାୟ ୩ ଶହ କିଲୋମିଟର ଯାତାୟାତ କରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଝାରସୁଗୁଡ଼ା ଜିଲ୍ଲାରେ କୋଇଲା ଖନନ ହେଉଥିବାରୁ ଜିଲ୍ଲାବାସୀ ଜମିବାଡି ଓ ଘରଦ୍ୱାର ହରାଇବେ। ଏହା ବାସ୍ତବରେ ମୋ ଜିଲ୍ଲାବାସୀଙ୍କ ପ୍ରତି ଅନ୍ୟାୟ ଅଟେ, ତେଣୁ ମାନ୍ୟବର କୋଇଲା ଓ ଆଇନ ମନ୍ତ୍ରଣାଳୟ ଝାରସୁଗୁଡା ପକ୍ଷରୁ ଜିଲ୍ଲାରେ କୋଲ ବିଅରିଙ୍ଗ ଆକ୍ଟ ଟ୍ରିବ୍ୟୁନାଲ ଗଠନ ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଂସଦ ଶ୍ରୀ ପୂଜାରୀ ବାଚସ୍ପତିଙ୍କ ଜରିଆରେ ଦାବି ଉପସ୍ଥାପନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଝାରସୁଗୁଡାରେ କୋଲ ବିଅରିଙ୍ଗ ଆକ୍ଟ ଟ୍ରିବ୍ୟୁନାଲ ଗଠନ ହେଲେ କୋଇଲା ଖଣି ଦ୍ୱାରା କ୍ଷତିଗ୍ରସ୍ତ ଓ ପ୍ରଭାବିତ ଲୋକେ ଶୀଘ୍ର ନ୍ୟାୟ ପଇପାରିବେ।