ନୂଆଦିଲ୍ଲୀ,ଏଜେନ୍ସି: ବିରୋଧୀଙ୍କ ପ୍ରବଳ ହଟଗୋଳ ସତ୍ତେ୍ୱ ବାଚନିକ ଭୋଟରେ ରାଜ୍ୟସଭାରେ ଆଜି କୃଷି ବିଲ ପାରିତ ହୋଇଛି। ପୂର୍ବରୁ ଲୋକସଭାରେ ପାରିତ ହୋଇଥିଲା ଏହି ବିଲ୍। ଏନେଇ ବିରୋଧୀ ଦଳ ଏହି ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଆଗ୍ରାହ୍ୟ କରିଛି। ଆଜି ରାଜ୍ୟସଭାରେ କୃଷି ବିଲ୍ ଉପସ୍ଥାପିତ ହେବା ପରେ ଏ ନେଇ ବିରୋଧୀମାନେ ହଙ୍ଗାମା କରିଥିଲେ। ରାଜ୍ୟସଭାରେ ବିଲକୁ ନେଇ ଆଲୋଚନା ଚାଲୁଥିବା ବେଳେ ବିରୋଧୀ କୃଷି ବିଲ୍ ସହ ଜଡିତ କାଗଜପତ୍ର ଛଡ଼ାଇ ନେବାକୁ ଉଦ୍ୟମ କରିଥିବା ସାମ୍ନାକୁ ଆସିଛି।
ଟିଏମସି ସାଂସଦ ଡେରେକ ଓ’ବ୍ରାୟନ୍ ଉପସଭାପତିଙ୍କ ନିକଟରେ ପହଞ୍ଚି ନିୟମାବଳୀ ବିଷୟରେ କହିବା ସହ କୃଷି ବିଲ୍ ସହ ଜଡିତ କାଗଜପତ୍ର ଛଡ଼ାଇବାକୁ ଚେଷ୍ଟା କରିଥିଲେ ବୋଲି ଜଣା ପଡ଼ିଛି। ଏହା ସହ ବିଲକୁ ବିରୋଧ କରୁଥିବା କିଛି ସାଂସଦ ନିଜ ମାଇକକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶିବସେନା ଏବଂ ଏନସିପି ନେତାଙ୍କ ସହ ଟେଲିଫୋନରେ କଥା ହୋଇ ବିଲ ପାସ୍ ନେଇ ସହାୟତା ଲୋଡିଥିଲେ। ଗୃହରେ ଆଲୋଚନା ବେଳେ କଂଗ୍ରେସ ଏହି ବିଲ କୃଷକଙ୍କ ମୃତ୍ୟୁର କାରଣ ପାଲଟିବ ବୋଲି କହିଛି।