ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ରମନ୍ତ୍ରୀ ହର୍ସିମ୍ରତ କୌରଙ୍କ ଇସ୍ତଫା ପତ୍ର ଗ୍ରହଣ କରିନେଇଛନ୍ତି ରାମନାଥ କୋବିନ୍ଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ କ୍ରମେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ହର୍ସିମ୍ରତଙ୍କ ପାଖରେ ଥିବା ଖାଦ୍ୟ ପ୍ରକ୍ରିୟା କରଣର ଦାୟିତ୍ୱ ଦେଇଛନ୍ତି। ତୋମାର ନିଜ ପାଖରେ ଥିବା କୃଷି ବିଭାଗ ସହ ଖାଦ୍ୟ ପ୍ରକ୍ରିୟା କରଣ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ। ସଂସଦରେ କୃଷି ସମ୍ପର୍କିତ ବିଲ ପାରିତ ହେବା ପୂର୍ବରୁ ହର୍ସିମ୍ରତ କୌର ପଦରୁ ଇସ୍ତଫା ଦେବା ନେଇ ଟୁଇଟ କରିଥିଲେ। ସେ ଶିରୋମଣି ଅକାଳୀ ଦଳର ସାଂସଦ। ତେବେ ମୋଦୀଙ୍କ କ୍ୟାବିନେଟରେ ଶିରୋମଣି ଅକାଳୀ ଦଳର ଜଣେ ମାତ୍ର ପ୍ରତିନିଧି ଥିଲେ ହର୍ସିମ୍ରତ କୌର।
କୌରଙ୍କ ଇସ୍ତଫା ପରେ ଶିରୋମଣି ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂ ବାଦଲ କହିଛନ୍ତି କି ଦଳ ବିଜେପିକୁ ସମର୍ଥନ ଜାରି ରଖିବ। କିନ୍ତୁ କୃଷକ ନୀତିକୁ ବିରୋଧ କରିବ। ତେବେ ଏ ସମ୍ପର୍କର ଚୂଡାନ୍ତ ନିଷ୍ପତ୍ତି ଦଳର କୋର କମିଟିରେ ନିଆଯିବ ବୋଲି ସୁଖବୀର ସିଂ କହିଛନ୍ତି। ସେପଟେ ହର୍ସିମ୍ରତ କୌରଙ୍କ ଇସ୍ତଫାକୁ ଲୋକ ଦେଖାଣିଆ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି। କୃଷି ସମ୍ପର୍କିତ ବିଲକୁ ବିରୋଧ କରି ପଞ୍ଜାବ ଓ ହରିଆଣାରେ ଚାଷୀମାନେ ଗତ ସପ୍ତାହେ ହେଲା ପ୍ରତିବାଦ କରିଆସୁଛନ୍ତି।