ଘରେ ପଶି ଗନ୍‌ ପଏଣ୍ଟରେ ଲୁଟ ଅଭିଯୋଗ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଏନଏସିର ୧୨ ନମ୍ବର ୱାର୍ଡରେ ଜଣଙ୍କ ଘରୁ ଗନ ପଏଣ୍ଟରେ ଲୁଟ ହୋଇଥିବା ଜଣାପଡ଼ିଛି। ଟଙ୍କା ସହ ସୁନା ଗହଣା ଓ ମୋବାଇଲ ଲୁଟ ହୋଇଥିବା ଜଣାପଡ଼ିଛି। ୧୨ ନମ୍ବର ୱାର୍ଡରେ ରହୁଥିବା ଅଧ୍ୟାପକ ସପନ ମହାନ୍ତିଙ୍କ ଘରୁ ଲୁଟ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ସପନ ଗତକାଲି ଘରେ ନଥିବାବେଳେ ଏହାର ସୁଯୋଗ ନେଇ ୫ ଜଣ ଦୁର୍ବୃତ୍ତ ତାଙ୍କ ଘରକୁ ଯାଇଥିଲେ। ଦୁର୍ବୃତ୍ତମାନେ ତାଙ୍କ ଘରର କଲିଂ ବେଲ ମାରିଥିଲେ। ତେବେ ସ୍ୱାମୀ ଘରକୁ ଆସିଥିବା ଭାବି ସ୍ତ୍ରୀ ଗୀତାଞ୍ଜଳି ଘରର କବାଟ ଖୋଲିଥିଲେ। ପରେ ସେମାନେ ସାରଙ୍କ ନିକଟରେ କାମ ଅଛି କହି ଜୋର ଜବରଦସ୍ତ ଘର ଭିତରକୁ ପଶିଥିଲେ। ପରେ ଗୀତାଞ୍ଜଳି ଓ ତାଙ୍କ ନାବାଳକ ପୁଅକୁ ଦୁର୍ବୃତ୍ତମାନେ ବାନ୍ଧି ଦେଇଥିଲେ।

ସେମାନଙ୍କ ମୁଣ୍ଡରେ ବନ୍ଧୁକ ଓ ଭୁଜାଲି ଲଗାଇ ସୁନା ଗହଣା ଓ ଟଙ୍କା ମାଗିଥିଲେ। କିନ୍ତୁ ଗୀତାଞ୍ଜଳି ଏହାକୁ ବିରୋଧ କରିବାରୁ ତାଙ୍କୁ ମାଡ଼ ମାରି ଆଲମାରିରୁ ୮ ହଜାର ଟଙ୍କା, ସେ ପିନ୍ଧିଥିବା ସୁନା ଗହଣା ଓ ପୁଅ ପଢ଼ୁଥିବା ମୋବାଇଲ ଲୁଟି ନେଇଥିଲେ। ଦୁର୍ବୃତ୍ତଙ୍କ ମଧ୍ୟରେ ଜଣେ ହେଲମେଟ୍ ପିନ୍ଧିଥିବାବେଳେ ଅନ୍ୟ ୪ ଜଣ ମୁହଁରେ ମାସ୍କ ପିନ୍ଧିଥିଲେ। ପରେ ସପନ ମହାନ୍ତି ଘରେ ପହଞ୍ଚି ଏ ସମ୍ପର୍କରେ ଜାଣି ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି। ସେହିପରି ଦୁର୍ବୃତ୍ତମାନେ ସାଙ୍ଗରେ ଆଣିଥିବା ଏକ ଗାମୁଛା ଛାଡି ଯାଇଥିବା ଜଣାପଡ଼ିଛି।