ନୂଆଦିଲ୍ଲୀ: ବାବରୀ ମସଜିଦ ଭଙ୍ଗାଯିବା ଘଟଣାରେ ସିବିଆଇର ବିଶେଷ ଅଦାଲତ ସେପ୍ଟେମ୍ବର ୩୦ ତାରିଖରେ ରାୟ ଶୁଣାଇବ। ସିବିଆଇର ବିଶେଷ ଜଜ୍ ଏସକେ ଯାଦବ ଲାଲକୃଷ୍ଣ ଆଡଭାନୀ, ଏମଏମ ଯୋଶୀ, କଲ୍ୟାଣ ସିଂହ ଓ ଉମା ଭାରତୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଫଇସଲା ଦିନ କୋର୍ଟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ପକ୍ଷରୁ ଉକ୍ତ ମାମଲାରେ ୩୫୧ଜଣ ସାକ୍ଷୀ ଓ ୬୦୦ କାଗଜପତ୍ରଯୁକ୍ତ ପ୍ରମାଣ ଅଦାଲତରେ ଦାଖଲ କରାଯାଇଛି।
ସୂଚନାଯୋଗ୍ୟ, ୧୯୯୨ ମସିହା ଡିସେମ୍ବର ୬ରେ ବାବରୀ ମସଜିଦ ଭଙ୍ଗାଯିବା ଘଟଣାରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ପୂର୍ବ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ, ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ମୁରଲୀ ମନୋହର ଯୋଶୀଙ୍କ ସମେତ ମୋଟ ୩୨ ଜଣ ଅଭିଯୁକ୍ତ ରହିଛନ୍ତି। ଏହାପୂର୍ବରୁ ସମସ୍ତ ଅଭିଯୁକ୍ତ ଅନଲାଇନ ମାଧ୍ୟମରେ କୋର୍ଟରେ ହାଜିର ହୋଇଥିଲେ। ଖାସ୍ କଥାଟି ହେଲା ଦୀର୍ଘ ୨୮ ବର୍ଷ ପରେ ବାବରୀ ମସଜିଦ ଭଙ୍ଗାଯିବା ଘଟଣାର ଫଇସଲା ଆସିବାକୁ ଯାଉଛି।