ଦେବଗଡ଼ ,ଏନ୍ଏନ୍ଏସ୍: ଦେବଗଡ଼ ଥାନା ତିଲେଇବଣୀ ଫାଣ୍ଡି କର୍ଡାପାଳ ଗ୍ରାମଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥରେ ଗତକାଲି ରାତିରେ ଏକ ବାଇକ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଦେବଗଡ଼ ପୌରାଞ୍ଚଳ ନ୍ୟୁ କଲୋନୀ ଅଞ୍ଚଳର ବିମଳ ନନ୍ଦଙ୍କ ପୁଅ ଶ୍ରବଣ କୁମାର ନନ୍ଦ(୨୪) ଓ ବାବୁ ସାହି ଅଞ୍ଚଳର କ୍ଷମାନିଧି ପ୍ରଧାନଙ୍କ ପୁଅ ରିକନ ପ୍ରଧାନ (୨୫) ବାଇକରେ ଦେବଗଡ଼ରୁ କୁଚିଣ୍ଡା ଅଭିମୁଖେ ଯାଉଥିଲେ। ତେବେ କର୍ଡାପଳ ଗ୍ରାମ ନିକଟସ୍ଥ ୫୩ନଂ ଜାତୀୟ ରାଜପଥରେ ଅଚଳ ହୋଇ ଛିଡା ହୋଇଥିବା ଏକ ମାଲ ବୋଝେଇ ଟ୍ରକ୍ ପଛକୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଦେବଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ ଓ ଟ୍ରକକୁ ଜବତ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏହାସହ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି।