୪୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ କାଠକୁ ଜବତ କଲା ବନବିଭାଗ

ପାଟଣା,ଏନ୍ଏନ୍ଏସ୍: ପାଟଣା ରେଞ୍ଜ ଦୁର୍ଗାଦେଇପୁର ନିକଟ ବୈତରଣୀ ନଦୀକୁଳ ଗ୍ରାମ୍ୟ ଜଙ୍ଗଲରୁ ପାଟଣା ବନବିଭାଗ ଆଜି ୪୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ୟୁକାଲିପଟାଶ,ଆକାଶିଆ, ଝାଉଁ କାଠ ଜବତ କରିଛି। ଏଠାରେ କାଠ ଗୁଡିକ ଗଚ୍ଛିତ କରାଯାଇଥିବା ନେଇ ସ୍ଥାନୀୟଲୋକେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ବନବିଭାଗ ପକ୍ଷରୁ ଉକ୍ତ ଜଗାରୁ କାଠ ଗୁଡିକ ଜବତ କରାଯାଇଥିବା ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି। ପାଟଣା ବନ କାର୍ଯ୍ୟାଳୟଠାରୁ ମାତ୍ର କିଲୋମିଟର ଦୂରରେ ଏତେ ମାତ୍ରାରେ କାଠ ଗଛିତ ଥିଲେ ମଧ୍ୟ କାହିଁକି ରେଞ୍ଜର ଜାଣି ପାରିଲେନି ନା ଜାଣିଶୁଣି ଚୁପ ରହିଥିଲେ ସେନେଇ ନାନା ପ୍ରଶ୍ନ ଉଠୁଛି।

ଏସମ୍ପର୍କରେ ପାଟଣା ରେଞ୍ଜରଙ୍କ ମତାମତ ପାଇଁ ଯୋଗାଯୋଗ କରାଯିବାରୁ ଉପୁଡି ଯାଇଥିବା ଗଛ ଗୁଡିକ ଗ୍ରାମବାସୀ ଗଚ୍ଛିତ ରଖିଥିବା କହିଥିବାବେଳେ ଅଭିଯୋଗ ଆସିବାପରେ ପାଟଣା ବନ ବିଭାଗ ପକ୍ଷରୁ କାଠ ଗୁଡିକୁ ଜବତ କରି ଜେସିବି ଓ ଟ୍ରାକ୍ଟର ସହାୟତାରେ ରେଞ୍ଜ କାର୍ଯ୍ୟାଳୟକୁ ଅଣା ଯାଇଥିବା କହିଛନ୍ତି। ଜବତ ସମୟରେ ପାଟଣା ଫରେଷ୍ଟର ଜ୍ୟୋଷ୍ନାରାଣୀ ବେହେରା, ଫୋରେଷ୍ଟ ଗାର୍ଡ ପ୍ରଯୁକ୍ତା ଜେନା ତପସ୍ୱୀନି ନାଏକ ଉପସ୍ଥିତ ଥିଲେ।