ଅଖିଳ ଭାରତୀୟ କଂଗ୍ରେସ କମିଟିର ଚିଖିଲି ବନ୍ୟାଞ୍ଚଳ ପରିଦର୍ଶନ

ବରଗଡ଼,ଏନ୍ଏନ୍ଏସ୍: ଅଖିଳ ଭାରତୀୟ କଂଗ୍ରେସ କମିଟିର ଏକ ପ୍ରତିନିଧି ମଣ୍ଡଳୀ ଅମ୍ବାଭୋନା ବ୍ଲକର ଚିଖିଲି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ପ୍ରଦେଶ କଂଗ୍ରେସ କମିଟିର କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ ସାମିଲ ହୋଇଥିଲେ । ଉକ୍ତ ପ୍ରତିନିଧି ମଣ୍ଡଳୀ ଅମ୍ବାଭୋନା ବ୍ଲକର ଚିଖିଲି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ବନ୍ୟା ବିପନ୍ନଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇଦେବାକୁ ଦାବି କରିଥିଲେ । ମିଳିଥିବା ରିପୋର୍ଟ ମୁତାବିକ, ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣି ଯୋଗୁ ଅମ୍ବାଭୋନା ବ୍ଲକର ଚିଖିଲି, ଘୁଘୁରାପାଲି, ବେନିଆପାଲି, ବଡ଼ମାଲ, ଗଣ୍ଠିଆପାଲି, ଅନ୍ତରାଡ଼ି, ବରଙ୍ଗାକୋଟ ଆଦି ଗ୍ରାମ ସହ ବହୁ ଚାଷ ଜମି ବୁଡ଼ି ଯାଇଥିଲା। ଏହି ଅବସରରେ କଂଗ୍ରେସ ପ୍ରତିନିଧି ମଣ୍ଡଳୀ ବନ୍ୟାରେ ଭାଙ୍ଗି ଯାଇଥିବା ଘର ଏବଂ ଫସଲ କ୍ଷୟକ୍ଷତିର ଆକଳନ କରି ରାଜ୍ୟ ସରକାର ସହାୟତା ଯୋଗାଇଦେବାକୁ ଦାବି କରିଥିଲେ । ବ୍ଲକ କଂଗ୍ରେସ ସଭାପତି ନିରଞ୍ଜନ ପଟେଲ, ଜିଲ୍ଲା କଂଗ୍ରେସ କମିଟିର ସଂପାଦକ ଇମାନୁଏଲ ଦତ୍ତ ରଣବୀର, ଦିଲ୍ଲୀପ ପଣ୍ଡା, ସରୋଜ ମହାପାତ୍ର, ଜେହେରୁ ପ୍ରଧାନ ସମେତ ବହୁ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।